କଟକ : ଚାକିରି ନାଁରେ ଠକେଇ। କଟକରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି ଦେବା ନାଁରେ ଠକାମି ହୋଇଛି। ଏହି ମାମଲାରେ ଆଜି କଟକରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଭାଇ ଅର୍ଜିତ ମହାନ୍ତି ଏବଂ ଅର୍ପିତ ମହାନ୍ତି ବୋଲି ଜାଣିବାକୁ ମିଳିଛି ।
ରିପୋର୍ଟ ଅନୁଯାୟୀ, ସରକାରୀ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଦୁଇ ଭାଇ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ବିଭିନ୍ନ ଜିଲାର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମେଡିକାଲ କଲେଜଗୁଡ଼ିକରେ ଏଏନଏମ , ଜିଏନଏମ, ଡାଟା ଏଣ୍ଟ୍ରି ଅପରେଟର, ଆଟେଣ୍ଡାଣ୍ଟ ଇତ୍ୟାଦି ପଦବୀରେ ନିଯୁକ୍ତି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ସେମାନେ ଟଙ୍କା ଠକେଇ କରିଛନ୍ତି। ଏପରିକି ସେମାନେ କିଛି ଆଶାୟୀଙ୍କୁ ମଧ୍ୟ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ଚାକିରି କରାଇଦେବା ପାଇଁ ସେମାନେ ପ୍ରତ୍ୟେକ ଆଶାୟୀଙ୍କଠାରୁ ୨୦ ହଜାରରୁ ୩୦ହଜାର ଟଙ୍କା ନେଉଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଚଢାଉ କରି ମଙ୍ଗଳାବାଗ ପୋଲିସ ଏକ ମହଙ୍ଗା କାର, ସ୍କୁଟି, ଦୁଇଟି ଫୋନ୍, ନଗଦ ୧୦ ହଜାର ଟଙ୍କା , ଏଟିଏମ୍ କାର୍ଡ, ପାନ କାର୍ଡ, କିଛି ବାୟୋ-ଡାଟା, ନକଲି ନିଯୁକ୍ତି ପତ୍ର , ନକଲି ସିଲ୍ ଇତ୍ୟାଦି ଜବତ କରିଛି। ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି କୋର୍ଟକୁ ପଠାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ଜାଣିବାକୁ ମିଳିଛି।
Comments are closed.