Latest Odisha News

ସୁନ୍ଦରଗଡ ମେଡିକାଲ କଲେଜରେ ନିଯୁକ୍ତି ଆଶା ଦେଖାଇ ଠକେଇ ଅଭିଯୋଗ

ସୁନ୍ଦରଗଡ: ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ବିଶ୍ବାସର ଚୂନ ଦେଲା ଠକ। ବ୍ୟାପକ ସଚେତନତା ସତ୍ତ୍ୱେ ଅନେକ ଲୋକ ଏହିପରି ଭାବେ ଠକେଇର ଶିକାର ହେଉଛନ୍ତି। ହେଲେ ଚାକିରି ଲୋଭ ଏବଂ ଅଧିକ ନିବେଶ ମିଳିବା ଆଶାରେ ବଢି ଚାଲିଛି ଠକେଇ ଏବଂ ବଢୁଛି ଠକେଇର ଶିକାର ବ୍ୟକ୍ତିଙ୍କ ତାଲିକା। ଏଭଳି ଏକ ମାମଲା ସୁନ୍ଦରଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି। ଯେଉଁଠି ଅନେକ ଆଶାୟୀଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏହି ଠକେଇ ପଛରେ ଏକ ରାକେଟ ସାମିଲ ଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଠକମାନେ ଆଶାୟୀ ପ୍ରାର୍ଥୀଙ୍କୁ ଡାଟା ଏଣ୍ଟ୍ରି, ଆଟେଣ୍ଡାଣ୍ଟ, ସିକ୍ୟୁରିଟି ଗାର୍ଡ ଓ ରିସେପ୍ସନିଷ୍ଟ ଚାକିରି ଦେଉଥିଲେ। ସେମାନେ ମେଡିକାଲ କଲେଜର ଡିନଙ୍କ ଦସ୍ତଖତ ଓ ଲେଟର ପ୍ୟାଡ୍ ଏବଂ ଓଡ଼ିଶା ସରକାରଙ୍କ ଲୋଗୋକୁ ନକଲି କାଗଜପତ୍ରରେ ତିଆରି କରିଥିବା ଅଭିଯୋଗ ହୋଇଛି। ଯାହାକୁ ସେମାନେ ଚାକିରୀ ପାଇଁ ଅଫର ଲେଟର ବା ନିଯୁକ୍ତି ପତ୍ର ଦେଖାଇ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୋଗ ହୋଇଛି।

ମୁଁ ରିସେପ୍ସନିଷ୍ଟ ପଦ ପାଇଁ ଆବେଦନ କରିଥିଲି। ମୁଁ ମଧ୍ୟ ଟଙ୍କା ଦେଇଥିଲି ଏବଂ ମୋତେ ଏକ ନିଯୁକ୍ତି ପତ୍ର, ପରିଚୟ ପତ୍ର, ଏବଂ ଅନ୍ୟାନ୍ୟ କାଗଜପତ୍ର ଦିଆଯାଇଥିଲା। କିନ୍ତୁ ମୁଁ ଜଏନିଂ ତାରିଖ ବିଷୟରେ ପଚାରିବାରୁ ସେମାନେ ମୋତେ ଏଡ଼ାଇ ଯିବାକୁ ଲାଗିଲେ ବୋଲି ଅନ୍ୟତମ ପ୍ରତାରିତ ପରୀକ୍ଷାର୍ଥୀ ସୀମା କହିଛନ୍ତି।

ଏହି ନକଲି ଚାକିରୀ ରାକେଟରେ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି, କିନ୍ତୁ ସେ କୌଣସି ଭୁଲ୍ କରିଥିବା କଥାକୁ ଖଣ୍ଡନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଚାରିରୁ ପାଞ୍ଚ ଜଣ ଆଶାୟୀ ଠକେଇର ଶିକାର ହୋଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ।

ସୁନ୍ଦରଗଡ଼ ମେଡିକାଲ କଲେଜର ଡିନ୍ ଦୈତାରୀ ରାଉତରାୟ ଏହି ଠକେଇକୁ ସ୍ୱୀକାର କରିବା ସହ ଚାକିରି ଆଶାୟୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣାରେ ମେଡିକାଲ କଲେଜର କୌଣସି ଭୂମିକା ନାହିଁ, ଏବଂ ଆମେ କୌଣସି ଖାଲି ପଦବୀ ପାଇଁ ବିଜ୍ଞାପନ ଦେଇନାହୁଁ। ଆଶାୟୀ ପ୍ରାର୍ଥୀମାନେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ବିଜ୍ଞାପନ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଠକେଇର ଶିକାର ହୋଇଥିବା ପରୀକ୍ଷାର୍ଥୀମାନେ ଟାଉନ୍ ଥାନାରେ ତିନି ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.