Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯

ବ୍ରିସବେନ: ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ଜୋ ରୁଟଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟ ବିନିମୟରେ ୩୨୫ ରନ ସଂଗ୍ରହ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ରୁଟ ୧୩୫ ଓ ଜୋଫ୍ରା ଆର୍ଚ୍ଚର ୩୨ ରନ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ରୁଟଙ୍କ ଏହା ପ୍ରଥମ ଶତକ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ କ୍ରାଉଲେ ୭୬, ହ୍ୟାରୀ ବ୍ରୁକ ୩୧ ରନ କରିଥିଲେ । ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ ଯୋଗୁ ଅନ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରି ନ ଥିଲେ । ସେ ୬ଟି ୱିକେଟ ଅକ୍ତିଆର କରିଥିଲେ । ମାଇକେଲ ନେସର ଓ ସ୍କଟ ବୋଲାଣ୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ରୁଟ ୧୮୧ ବଲର ସମ୍ମୁଖୀନ ହୋଇ ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪୦ତମ ଶତକ ମାରିଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟରରେ ଓଭରାଲ ଏହା ତାଙ୍କର ୫୯ତମ ଶତକ ରହିଥିଲା । ତେବେ ସେ ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଶତକ ହାସଲ କରି ନ ଥିଲେ । ଇଂଲଣ୍ଡ ଆରମ୍ଭରୁ ୫ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଥିଲା । ବେନ ଡକେଟ ଓ ଓଲୀ ପୋପ ଖାତା ଖୋଲିପାରି ନ ଥିଲେ । କ୍ରାଉଲେ ଓ ରୁଟ ତୃତୀୟ ୱିକେଟରେ ୧୧୭ ରନ ସଂଗ୍ରହ କରି ଇନିଂସ ସମ୍ଭାଳିଥିଲେ । ଏହା ପରେ କ୍ରାଉଲେ ଆଉଟ ହୋଇଥିଲେ । ଗୋଟିଏ ପଟେ ନିୟମିତ ବ୍ୟବଧାନରେ ୱିକେଟ ଖସୁଥିବା ବେଳେ ରୁଟ ଦୃଢ଼ ଭାବେ ନିଜ ୱିକେଟ ବଂଚାଇ ରଖିଥିଲେ ।

Leave A Reply

Your email address will not be published.