Latest Odisha News

ଗାଁ କଥା: ଯୌଥ ପରିବାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଜ୍ୟେଷ୍ଠ ମାସର ଖରା । ସୂର୍ଯ୍ୟ ମୁଣ୍ଡ ଉପରେ । କାଉ କୋଇଲି ବି ବାହାରକୁ ବାହାରୁନାହାନ୍ତି । ଏମିତି ସମୟରେ ବୈଦ୍ୟନାଥ ବାବୁଙ୍କ ବାରଣ୍ଡାରେ ମୁଣ୍ଡରୁ ପସରାଟା ଓହ୍ଲାଇ ଥୋଉ ଥୋଉ ଫାଁ ଗାଳି ପଡ଼ିଗଲା ଦୀନବନ୍ଧୁ । ସାଙ୍ଗରେ ଦଶ ବର୍ଷର ବଡ଼ପୁଅ ଶ୍ୟାମଘନ । ବାପାର ଏ ଅବସ୍ଥା ଦେଖି ଭେଁ କିନା କାନ୍ଦି ଉଠିଲା ସେ । ତା କାନ୍ଦ ଶୁଣି ବୈଦ୍ୟନାଥ ବାବୁ ଦୌଡ଼ି ଆସିଲେ । ସଙ୍ଗେ ସଙ୍ଗେ ଦୀନବନ୍ଧୁ ମୁହଁରେ ପାଣି ଛିଞ୍ଚି ତାକୁ ଚେତା କରେଇଲେ । ଦୀନବନ୍ଧୁ ବା କଣ କରନ୍ତା ? ଚାରି ପୁଅ, ତିନି ଝିଅ – ମୋଟ ନଅ ପ୍ରାଣୀ କୁଟୁମ୍ବ । ଜମିବାଡ଼ି ବୋଲି କିଛି ନାହିଁ । ଗାଁ ଗାଁ ବୁଲି ମୁଣ୍ଡରେ ବରା, ପିଆଜି, ଆଳୁ ଚପ୍, ରାଗଚଣା ବିକିଲେ ଦୀନବନ୍ଧୁ ଶାସମଲର ଘର ଚଳେ । ନବେ ବର୍ଷ ତଳେ କାହା ପାଖରେ ପଇସା ଥିଲା ଯେ, କିଏ ପଇସା ଦେଇ ବରା ପିଆଜି ଖାଇବ? ସେଥିପାଇଁ ଲୋକମାନେ ଧାନ ମାଣ୍ଡିଆ କି ମକା, ଚିନାବାଦାମ ଦେଇ ତା ବଦଳରେ ଦୀନବନ୍ଧୁର ଖଜା ପସରାରୁ ଖାଇବା ଜିନିଷ ନେଉଥିଲେ ।

ବୈଦ୍ୟନାଥ ବାବୁ ଟିକିଏ ଖାଦ୍ୟପ୍ରିୟ ଲୋକ । ଏପଟେ ଦୀନବନ୍ଧୁର ଏ ଅବସ୍ଥା ଦେଖି କହିଲେ, ଏମିତି ଆଉ କେତେ ଦିନ ମୁଣ୍ଡରେ ପସରା ଧରି ଗାଁ ଗାଁ ବୁଲିବୁ ଦୀନବନ୍ଧୁ ? ମୋର ଏ ଜାଗା ଖଣ୍ଡକ ଖାଲି ପଡ଼ିଛି । ଏଇଠି ଚାଳିଆ ଖଣ୍ଡେ କରି ତୋ ଜଳଖିଆ ଦୋକାନ କର । ବାସ୍, ସେଇଠୁ ଆରମ୍ଭ ହୋଇଥିଲା ମର୍ଦ୍ଦରାଜପୁର ଗାଁରେ ଦୀନବନ୍ଧୁର ଜୀବନଯାତ୍ରା । ବାଣିଜ୍ୟେ ବସତେ ଲକ୍ଷ୍ମୀ … । ସେଇଆ ହିଁ ହେଲା । ଦୀନବନ୍ଧୁର ସେହି ଚାଳିଆ ଦୋକାନରୁ ଝିଲାପି, ଗୁଡ଼ମୁଆଁ, ଲବଙ୍ଗଲତା, ଚନ୍ଦ୍ରକାନ୍ତି, କ୍ଷୀରଗଜା ଏମିତି କେତେ କଣ ମିଠା ଆତ୍ମପ୍ରକାଶ କଲେ । ଆଖପାଖ ଗାଁରୁ ଲୋକ ଆସିଲେ ଦୀନବନ୍ଧୁ ଦୋକାନରୁ ମିଠା ନେବା ପାଇଁ । ଧୀରେ ଧୀରେ ଦୀନବନ୍ଧୁ ନିଜର ଚାରିବଖରା ଘରକଲା । ସେହି ଘରୁ ଦି ଝିଅଙ୍କୁ ଶାଶୂଘର ପଠେଇଲା । ଅଜଣା ରୋଗରେ ପଡ଼ି ଗୋଟିଏ ଝିଅ ଆଖିବୁଜିଲା । ପୁଅମାନେ ଦୀନବନ୍ଧୁ ସାଙ୍ଗରେ ଦିନ ରାତି ଏକ କରି କାମ କଲେ । ଶାସମଲ ପରିବାରର ଉତ୍ତରୋତ୍ତର ଉନ୍ନତି ହେଲା ।

ଏ ସବୁ ଭିତରେ ଚୁଲିମୁଣ୍ଡରେ ଜଳଖିଆ ତିଆରି କରୁଥିବା ଦୀନବନ୍ଧୁର ବଡ଼ ତିନି ପୁଅ, ସାନକୁ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଲେ । ସାନ ପୁଅ ପାଠ ପଢ଼ିଲା । ଚାଲାକ ହେଲା । ହେଲେ କିଛି ଚାକିରି ବାକିରି କରିପାରିଲା ନାହିଁ । ପୁଅ ପାଠ ପଢ଼ିଛି, କଣ ଗୋଟେ ନିଶ୍ଚୟ କରିବ, ଏଇ ଆଶା ଆଶାରେ ହିଁ ରହିଗଲା ଦୀନବନ୍ଧୁର । ପ୍ରଥମେ ତା ସ୍ତ୍ରୀ ଓ ପରେ ପରେ ସେ ଚାଲିଗଲା ଆରପାରିକୁ । ହେଲେ ତାର ମୃତ୍ୟୁ ପରେ ହିଁ କୁଚକ୍ରୀ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଥିଲା ତାର ସାନପୁଅ । ଭାଇମାନଙ୍କ ଭିତରେ କଳହ ଲଗାଇ କୋର୍ଟ କଚେରୀ କରେଇଲା । ଆଉ ଏଥିରୁ ସେମାନଙ୍କ ନିରକ୍ଷରତାର ଫାଇଦା ନେଉଥିଲା ସେ । ଗୋଟିଏ ଚୁଲିରେ ଯେଉଁଘରେ ରନ୍ଧା ହେଉଥିଲା, ସେଇଠି ହେଲା ଭାଇ ଭାଗ । ହେଲେ ଏ ଭାଗବଣ୍ଟାରେ କେବଳ ଚୁଲି ବା ଘର ଅଲଗା ହେଲାନି, ବରଂ ଭାଇ ଭାଇ ଭିତରେ ସୃଷ୍ଟି ହେଲା ଅହିନକୁଳ ସଂପର୍କ । କେହେ କାହାର ଛାଇ ମାଡ଼ିଲେ ନାହିଁ । ଗୋଟିଏ ଚାଳିଆ ଦୋକାନରୁ ମୁଣ୍ଡ ଟେକିଥିବା ଏକ ବିରାଟ ପରିବାର ଖଣ୍ଡ ବିଖଣ୍ଡିତ ହୋଇଗଲା । ଏଣିକି ଆଉ ସେମାନେ କରୁଥିବା ମିଠା ବା ଜଳଖିଆର ସେ ଚାହିଦା ରହିଲା ନାହିଁ । ଲୋକଙ୍କୁ ଖାଇବାକୁ ଦେବାରେ ଦୀନବନ୍ଧୁ ଯେଉଁ ଆନନ୍ଦ ପାଉଥିଲା, ଆଉ ଲୋକମାନେ ଖାଇଲା ପରେ ସେମାନଙ୍କଠାରେ ଯେଉଁ ଆତ୍ମତୃପ୍ତି ଦେଖିବାକୁ ମିଳୁଥିଲା, ତାହା ଆଉ ନଥିଲା । ଏମିତିକି କଥା ଏ ସ୍ତରକୁ ଗଲା ଯେ, ଗୋଟିଏ ଭାଇ ଘରେ ପୁଅ ବାହା ହେଲେ କି ପିଲା ଜନ୍ମହେଲେ ଆଉ ଗୋଟିଏ ଭାଇର ପରିବାର ତା ପାଖରେ ଠିଆ ବି ହେଲେନି ।

ହେଲେ ସେଦିନ ଦୀନବନ୍ଧୁର ସାନପୁଅ ହଠାତ୍ ଏକ ଦୁର୍ଘଟଣାରେ ପ୍ରାଣ ହରାଇଲା । ଏମିତି ଏକ ଆକସ୍ମିକ ଅପ୍ରତ୍ୟାଶିତ ଘଟଣାରେ ପୁଣି ଥରେ ଏକାଠି ହେଲେ ଦୀନବନ୍ଧୁର ବିକ୍ଷିପ୍ତ ପରିବାର । ପରସ୍ପରଠାରୁ ଦୂରେଇ ଯିବା ପରେ ସେମାନଙ୍କ କଣ କ୍ଷତି ହୋଇଛି, ସେକଥା ସେମାନେ ବୁଝିପାରୁଥିଲେ । ସେମାନେ ବୁଝିପାରୁଥିଲେ, ପାରିବାରିକ ସମ୍ପର୍କର ତିକ୍ତତାରେ କେମିତି ବାହାରର ଲୋକମାନେ ଫାଇଦା ନିଅନ୍ତି । କେମିତି ମାନସିକ, ଆର୍ଥିକ, ସାମାଜିକ କ୍ଷତି ସହିବାକୁ ପଡ଼େ । ସର୍ବୋପରି ବର୍ଷ ବର୍ଷର ପରିଶ୍ରମରେ ଗଢ଼ା ହୋଇଥିବା ଯୌଥ ପରିବାରର ମୂଳଦୁଆ କେମିତି ହଠାତ୍ ଦୋହଲି ଯାଏ । ବାପା ଜେଜେ ଅମଳରୁ ମୁଣ୍ଡ ଟେକିଥିବା ସ୍ୱପ୍ନର ସଂସାରଟା ତାସ୍ ର ଘର ଭଳି ନିମିଷକରେ ଭୁଶୁଡ଼ିଯାଏ । ଏଇତକ କଥା ହୃଦୟଙ୍ଗମ କରିବା ପରେ ପୁଣିଥରେ ସଜାଡ଼ି ହୋଇ ଯାଇଥିଲା ମର୍ଦ୍ଦରାଜପୁର ଗାଁର ଅଠାବନ ଜଣ ସଦସ୍ୟଙ୍କୁ ନେଇ ସୃଷ୍ଟି ହୋଇଥିବା ସବୁଠୁ ବଡ଼ ଯୌଥ ପରିବାର । ଦୀନବନ୍ଧୁ ଶାସମଲର ପଣିନାତିର ଏକୋଇଶା ପାଇଁ ତିଆରି ଚାଲିଥିଲା ଲବଙ୍ଗଲତା, କ୍ଷୀରଗଜା, ଚନ୍ଦ୍ରକାନ୍ତି ଆଉ ଛେନାମଣ୍ଡା ।

ବିଭାଗୀୟ ମୁଖ୍ୟ, ୟୁ.ଆଇ.ଏମ୍.ଏସ୍., ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ମୋ-୯୯୩୭୨୫୨୪୬୪

Comments are closed.