Latest Odisha News

BREAKING NEWS

ଓଡ଼ିଶା ରାଜନୀତିରେ ସାମ୍ବାଦିକ, କେତେ ସଫଳ ?

ନିକଟରେ କନକ ନ୍ୟୁଜ ଛାଡି ସ୍ୱୟଂ ପ୍ରକାଶ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଓଡିଶା ରାଜନୀତିରେ ଏହା କିଛି ନୂଆ କଥା ନୁହେଁ । ଅନେକ ସାମ୍ବାଦିକ ରାଜନୀତିରେ ସାମିଲ ହୋଇ ସଫଳ ହୋଇଛନ୍ତି । ଯାହାର ଅନ୍ୟତମ ଉଦାହରଣ ଭୁବନେଶ୍ୱରର ନବ ନିର୍ବାଚିତ ମେୟର ସୁଲୋଚନା ଦାସ ।

ଭୁବନେଶ୍ୱର: ସରକାର ଏବଂ ଜନତାଙ୍କ ମଧ୍ୟରେ ସେତୁ ସାଜନ୍ତି ସାମ୍ବାଦିକ । ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଅବଗତ କରାଇବା ହେଉଛି ଗୋଟିଏ ସାମ୍ବାଦିକର ଧର୍ମ । ତେଣୁ ସ୍ୱାଭାବିକ ଭାବରେ ଜଣେ ସାମ୍ବାଦିକର ରାଜନେତା କିମ୍ବା ବିଭିନ୍ନ ବର୍ଗର ଲୋକଙ୍କ ସହ ଭଲ ସମ୍ପର୍କ ରହିବା ସ୍ୱାଭାବିକ । ବିଭିନ୍ନ ସମୟରେ ଲୋକଙ୍କ ସ୍ୱର ପାଲଟି ସାମ୍ବାଦିକ ମାନେ ନିଜର କାମ ପାଇଁ ବେଶ ପ୍ରଶଂସା ସାଉଁଟିଛନ୍ତି । ହେଲେ ଏହାରି ଭିତରେ ବଦଳିଯାଇଛି ଅନେକ ସମୀକରଣ। ଏବେ ଗଣମାଧ୍ୟମ ସଂସ୍ଥାର ମାଲିକାନା ଶାସକ ଏବଂ ବିରୋଧୀ ଦଳର ନେତାଙ୍କ ହାତରେ ରହିବା ଏବଂ ଆଜିଯିଏ ଲୋକଙ୍କ ସମସ୍ୟା ପାଇଁ ରାସ୍ତାରେ ଛିଡା ହୋଇ ରିପୋର୍ଟିଂ କରୁଛି ଆସନ୍ତାକାଲି ସିଏ ଆଉ ଜଣେ ସାମ୍ବାଦିକଙ୍କୁ ନେତା ଭାବରେ କୌଣସି ଦଳର ପକ୍ଷ ରଖି ଉତ୍ତର ରଖୁଛି ।

ଏହି ଧାରାରେ ସାମିଲ ହୋଇଛନ୍ତି କନକ ନ୍ୟୁଜର ଉପସ୍ଥାପକ ସ୍ୱୟଂ ପ୍ରକାଶ ମହାପାତ୍ର । ସେ ଜଣେ ରାଜ୍ୟର ଅନ୍ୟତମ ସଫଳ ସାମ୍ବାଦିକ। କମ୍ ବୟସରେ ନିଜର ନିଷ୍ଠା ଏବଂ କର୍ତବ୍ୟପରାୟଣତା ପାଇଁ ସେ ଅନେକ ସଫଳତା ପାଇଛନ୍ତି । କିନ୍ତୁ ହଠାତ ସେ ଗଣମାଧ୍ୟମକୁ ବାଏ ବାଏ କରି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ସୋଶିଆଲ ମିଡିଆରେ ଭିନ୍ନ ମତ ପ୍ରକାଶ ପାଇଛି । କନକ ନ୍ୟୁଜ ପୂର୍ବରୁ ଏବେର ବିଜେଡି ନେତା ସ୍ୱୟଂ ଓଟିଭିରେ କାମ କରିଥିଲେ। ସ୍ୱୟଂ ଏବେ ବିଜେଡିରେ ସାମିଲ ହୋଇ ଚିଲିକା ବିଧାୟକ ଟିକେଟ ପାଇବାକୁ ଲକ୍ଷ୍ୟ ରଖିଥିବା  ଆଲୋଚନା ହେଉଛି। ନିକଟରେ ପ୍ରଶାନ୍ତ ଜଗଦ୍ଦେବ ନିଜ କାରନାମା ପାଇଁ ବିବାଦୀୟ ହେବା ପରେ ସ୍ୱୟଂ ଏହି ସ୍ଥାନରେ ବିଧାୟକ ଭାବେ ନିର୍ବାଚନ ଲଢିବାକୁ ଆଗ୍ରହ ରଖିଥିବା ଚର୍ଚ୍ଚା ହେଉଛି।

ଏହା ପୂର୍ବରୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ସମ୍ବାଦ ଖବରକାଗଜର ମହାନଗର ପୃଷ୍ଠାର ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ ମଧ୍ୟ ସମ୍ବାଦିକତାକୁ ବାଏ ବାଏ କହି ବିଜେଡିରେ ସାମିଲ ହୋଇଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ନିଜ ସୋଶିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମତ ରଖୁଥିଲେ। ଯାହାକି ବିଜେପି ବିରୋଧରେ ଥିଲା। ଏବେ ସେ ଭୋଗରାଇ ବିଧାନସଭାର ବିଧାୟକ ପଦ ପାଇଁ ଲକ୍ଷ୍ୟ ରଖି ବିଜେଡିରେ ସାମିଲ ହୋଇଥିବା କୁହାଯାଉଛି । ଭୋଗରାଇ ବିଧାୟକ ଅନନ୍ତ ଦାସ ରାଜନୀତିରେ ସେତେଟା ସକ୍ରିୟ ନାହାନ୍ତି ।

ତେବେ କେବଳ ସ୍ୱୟଂ, ଗୌତମ ନୁହେଁ ଏହା ପୂର୍ବରୁ ଜି କଳିଙ୍ଗ ଏବଂ ଇଟିଭି ଓଡିଆର ସମ୍ପାଦକ ଭାବେ କାମ କରିଥିବା ସତ୍ୟ ପ୍ରକାଶ ନାୟକ ମଧ୍ୟ ରାଜନୀତିରେ ସାମିଲ ହୋଇଥିଲେ। ଏମିତିକି ୨୦୧୯ ସାଧାରଣ ନିର୍ବାଚନ ବେଳେ ସେ ପୁରୀ ଲୋକସଭା ଆସନର କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ସତ୍ୟ ପ୍ରକାଶ ସାଧାରଣତଃ ସରକାର ବିରୋଧୀ ଖବର ପ୍ରସାରଣ କରି ନିଜର ଲୋକପ୍ରିୟତା ହାସଲ କରିଥିଲେ। ତେଣୁ ବିରୋଧୀ ଶିବିରରେ ସେ ସାମିଲ ହେବା ପରେ ସରକାର ପାଇଁ ଅଡୁଆ ହେବ ବୋଲି କୁହାଯାଉଥିଲା।

ସେହିପରି ଓଟିଭିର ଖୋଲାକଥା ଜରିଆରେ ଲୋକଙ୍କ ନଜରକୁ ଆସିଥିବା ସତ୍ୟଜିତ ବିମଳ ମିଶ୍ର  ଏବଂ ଟାଇମ୍ସ ଅଫ୍ ଇଣ୍ଡିଆର ରାଉରକେଲା ରିପୋର୍ଟର ମିହିର ରାୟ ମଧ୍ୟ ଏବେ ବିଜେଡି ରାଜନୀତିରେ ସକ୍ରିୟ ରହିଛନ୍ତି । ଏବେର ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ପୂର୍ବରୁ ସାମ୍ବାଦିକତା କରୁଥିଲେ। ଅତନୁ ପ୍ରଜାତନ୍ତ୍ର ଖବର କାଗଜର ସମ୍ବାଦିକ ଭାବେ କାମ କରୁଥିବା ବେଳେ ସୁଲୋଚନା ଦୀର୍ଘ ବର୍ଷ ଧରି ଇଟିଭି ନ୍ୟୁଜ ଓଡିଆ ଓ ଏସଟିଭି ସହିତ ଜଡିତ ଥିଲେ।

ଏହାବାଦ ରାଜ୍ୟ ସୂଚନା ଓ ଜନ ସମ୍ପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଏକଦା ସମ୍ବାଦ ଖବାରକାଗଜର କ୍ରାଇମ ରିପୋର୍ଟର ଭାବେ କାମ କରୁଥିଲେ। ପରେ ସେ କଂଗ୍ରେସରେ ସାମିଲ ହେଇଥିଲେ ଓ ଚିଲିକାରୁ ନିର୍ବାଚନ ଲଢି ହାରିଥିଲେ । ପରବର୍ତ୍ତି ସମୟରେ ବିଜେଡିରେ ଯୋଗ ଦେଇଥିଲେ। ଏବେ ସେ ଶାସକ ଦଳର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି। ସେହିପରି ଅନ୍ୟତମ ବିଜେଡି ମନ୍ତ୍ରୀ ହେଉଛନ୍ତି ଅଶୋକ ପଣ୍ଡା । ଯିଏକେ ବିଜେଡିରେ ସାମିଲ ହେବା ପୂର୍ବରୁ ଦୂରଦର୍ଶନରେ ଇଣ୍ଡିଆନ ଇନଫୋରମେଶନ ସର୍ଭିସ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଆଉ କିଛି ସାମ୍ବାଦିକ ହେଲେ ଗୋପବନ୍ଧୁ, ବିଚିତ୍ରନନ୍ଦ ଦାସ, ଗୌରୀଶଙ୍କର ରାୟ, ସୁରେନ୍ଦ୍ର ମହାନ୍ତି ଯେଉଁମାନେ କି ନେତା ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଅନ୍ୟତମ ନମ୍ବର ଓ୍ୱାନ ଚ୍ୟାନେଲ ଓଟିଭିର ମାଲିକାନା ଜଗୀ ମଙ୍ଗତ ପଣ୍ଡାଙ୍କ ହାତରେ ରହିଛି । ଯଦିଓ ସେ କୌଣସି ଦଳର ନେତ୍ରୀ ନୁହନ୍ତି କିନ୍ତୁ ତାଙ୍କ ସ୍ୱାମୀ ବିଜେଡି ଛାଡି ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ତେଣୁ ଏହା ରାଜ୍ୟରେ ବିରୋଧୀ ଦଳ ହାତରେ ରହିଛି ବୋଲି ଆଲୋଚନା ହୁଏ । ସେହିପରି ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବିଜେଡି ବିଧାୟକ । ସେହିପରି ତାଙ୍କ ଝିଅ ତନୟାଙ୍କ ଦାୟିତ୍ୱରେ ରହିଛି କନକ ନ୍ୟୁଜ । ଅନ୍ୟତମ ଦୈନିକ ଖବରକାଗଜ ଧରିତ୍ରୀ ମଧ୍ୟ ତଥାଗତ ଶତପଥୀଙ୍କ ସମ୍ପାଦନରେ ପରିଚାଳନା ହେଉଛି । ଯଦିଓ ସେ ପୂର୍ବତନ ସାଂସଦ । ଏବେ ସେ ବିଜେଡିରେ ପୂର୍ବପରି ସକ୍ରିୟ ନାହାନ୍ତି ।  ଅନ୍ୟାନ୍ୟ ନ୍ୟୁଜ ଚ୍ୟାନେଲ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବରେ ବିଭିନ୍ନ ରାଜନୈତିକ ଦଳର ଛତ୍ରଛାୟା ତଳେ ରହିଛି ବୋଲି ସୂଚନା ରହିଛି ।

Leave A Reply

Your email address will not be published.