Latest Odisha News

ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଲାଠିରେ ପିଟିଲେ

ନବରଙ୍ଗପୁର:ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି,ଖବର ସଂଗ୍ରହ କରିବା ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଅତିରିକ୍ତ ଏସପିଙ୍କ ମାଡ଼ମାରିବା ସହ ଟାଣିନେଲେ ସାମ୍ବାଦିକଙ୍କ ମୋବାଇଲ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ।

ଘଟଣା ଅନୁସାରେ ପାପଡାହାଣ୍ଡି ସଦର ଅଞ୍ଚଳରେ ଏକ ପ୍ରେମ ବ୍ୟାପରକୁ ନେଇ ଝିଅ ଘରକୁ ଯାଇ ପାପଡାହାଣ୍ଡି ଓ ବରଗଡ଼ ପୋଲିସ ଝିଅକୁ ଉଠାଇ ଥାନାକୁ ଆଣିଥିଲା। ଏହି ଘଟଣାରେ ବରଗଡ଼ ଥାନାରେ ଏତଲା ହୋଇଥିବାରୁ ଝିଅଟିକୁ ବରଗଡ଼ ନେବାପାଇଁ ଗାଡ଼ିରେ ବସିବାକୁ କହିଥିଲେ । ଝିଅଟି ମୁଁ ମୋ ନିଜ ଇଚ୍ଛାରେ ଭଲପାଇ ଆସିଛି, ମୁଁ ଜଣେ ସାବାଳିକା ବୋଲି କହିବା ସତ୍ୱେ ନବରଙ୍ଗପୁର ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଝିଅର ହାତ ଧରି ଜବରଦସ୍ତି ଗାଡ଼ିରେ ବସାଇବା ସମୟରେ ପୁଅର ସମ୍ପର୍କୀୟମାନେ ବିରୋଧ କରିଥିଲେ ।

ଏହି ସମୟରେ ପୋଲିସ ପକ୍ଷରୁ ଠେଲାପେଲା ହୋଇଥିଲା, ଘଟଣା ସ୍ଥଳରେ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣାର ଭିଜୁଆଲ ନେବା ସମୟରେ ଅତିରିକ୍ତ ଏସପି ମହୋଦୟ ସାମ୍ବାଦିକମାନଙ୍କ ଉପରକୁ ମାଡି ଆସି ଲାଠିରେ ମାଡ଼ ମାରିଥିଲେ ଏବଂ ସାମ୍ବାଦିକଙ୍କ ମୋବାଇଲ ବି ଟାଣି ନେଇଥିଲେ ଓ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ହିଞ୍ଜଡ଼ା ବୋଲି ଗାଳି କରିଥିଲେ। ସାମ୍ବାଦିକଙ୍କ ଉପରେ ଅତିରିକ୍ତ ଏସପି ଙ୍କ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦାକରିବା ସହ ଅତିରିକ୍ତ ଏସପି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ମାନେ ପାପଡାହାଣ୍ଡି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।

 ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏପରି ବ୍ୟବହାରକୁ ଚାରଆଡୁ ନିନ୍ଦା କରାଯାଇଛି ।

ଭିଡିଓରୁ ଜଣାପଡୁଛି ପୋଲିସ ଅଧିକାରୀ ନିଜ ଉପରୁ ଧର୍ଯ୍ୟ ହରାଇ ରାଗିଯାଇଛନ୍ତି  । ଏହା ସହ ଖବର ସଂଗ୍ରହ କରିବାକୁ ଆସିଥିବା ସାମ୍ବାଦିକଙ୍କୁ ପିଟୁଛନ୍ତି । ମୋବାଇଲରେ ଏ ଦୃଶ୍ୟ ରେକର୍ଡିଂ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ପିଟିବାକୁ ବାଡି ଉଠାଉଛନ୍ତି । ଏହି ଘଟଣାକୁ ନେଇ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏହି ଘଟଣାର ତଦନ୍ତ ଦାବି କରିଛି । ଯେଉଁ ପୋଲିସ ଏପରି କାର୍ଯ୍ୟ କରିଛନ୍ତି ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

Comments are closed.