Latest Odisha News

BREAKING NEWS

କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ: ମୋହବ୍ବତର ଦୋକାନ ଖୋଲିଛ ହେଲେ ଧର୍ମ ନାଁରେ ଘୃଣାର ସାମଗ୍ରୀ ବିକୁଛ କାହିଁକି ?

ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଆକ୍ରମଣ କରିଛି । ସେତିକି ନୁହେଁ, ବିଜେପି ଅଭିଯୋଗ ଆଣିଛି ମୁମ୍ବାଇରେ ଇଣ୍ଡିଆ ବୈଠକରେ ରଣନୀତି ପରେ ବିପକ୍ଷ ସନାତନ ଧର୍ମକୁ ନେଇ ବୟାନବାଜି ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜେପି ନଡ୍ଡା ଟୁଇଟ କରି ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି, ମୋହବ୍ବତର ଦୋକାନ ନାଁରେ  ସନାତନ ଧର୍ମ ବିରୋଧରେ ଏପରି ଘୃଣାର ଜିନିଷ କାହିଁକି ବିକୁଛନ୍ତି ?  ଅନ୍ୟପକ୍ଷେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଅଭିଯୋଗ ଆଣିଛନ୍ତି, ସନାତନ ଧର୍ମକୁ ବଦନାମ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି । ରବିଶଙ୍କର ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ସୋନିଆ ଗାନ୍ଧୀ, ଲାଲୁ ଯାଦବ ଏବଂ ଅଖିଳେଶ ଯାଦବଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛନ୍ତି ।

ଏପଟେ ନଡ୍ଡା ଟୁଇଟ କରି କହିଛନ୍ତି, ଇଣ୍ଡିଆ ମେଣ୍ଟ ବୈଠକର ୨ ଦିନ ପରେ ଉଦୟନିଧି ଷ୍ଟାଲିନଙ୍କ ବୟାନ ଆସିଥିଲା । ଏହା ପରେ ପ୍ରିୟାଙ୍କ ଖଡଗେ ସନାତନ ଧର୍ମକୁ ଆଘାତ କରିଥିଲେ । ଆଜି ଡିଏମକେ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ମେଣ୍ଟ ଗଠନ ସନାତନ ଧର୍ମକୁ ବିରୋଧ କରିବା ପାଇଁ କରାଯାଇଛି । ଏହା ସୋନିଆ, ରାହୁଲ ଏବଂ କଂଗ୍ରେସର ସୁପରିକଳ୍ପିତ ରଣନୀତିର ଏକ ଅଂଶ ।

ନଡ୍ଡା ଆହୁରି କହିଛନ୍ତି,  କଂଗ୍ରେସ ଏବଂ ଇଣ୍ଡିଆ ଏପରି ବୟାନ ଉପରେ ନିଜର ମତ ସ୍ପଷ୍ଟ ରଖିବା ଉଚିତ । ଏକଥା ସ୍ପଷ୍ଟ କରିବା ଦରକାର ଯେ, କୌଣସି ଧର୍ମକୁ ନେଇ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ ସମ୍ବିଧାନ ଅଧିକାର ଦେଇଛି କି ? ସୋନିଆ ଏବଂ ରାହୁଲ ମୋହବ୍ବତର ଦୋକାନ ନାଁରେ ସନାତନ ଧର୍ମ ବିରୋଧରେ ଏପରି ଘୃଣାର ସାମଗ୍ରୀ କାହିଁକି ବିକୁଛନ୍ତି ? ଘୃଣାର ଏହି ମେଗା ମଲ କେବଳ କ୍ଷମତା ହାସଲ କରିବା ପାଇଁ । ବାଣ୍ଟ…ଏବଂ ରାଜ କର.. ।

ସେପଟେ ରବିଶଙ୍କର ପ୍ରସାଦ କହିଛନ୍ତି, ସନାତନ ଧର୍ମ ଉପରେ ଘମଣ୍ଡିଙ୍କ ମେଣ୍ଟ  ପ୍ରଶ୍ନ କରୁଛନ୍ତି । ଏ ପ୍ରଶ୍ନ ମୁଁ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କରିଥିଲି । ହେଲେ ସେମାନେ ଏହାର ଉତ୍ତର ଦେଲେ ନାହିଁ । ଅନ୍ୟପକ୍ଷେ ତାମିଲନାଡୁ ଶିକ୍ଷା ମନ୍ତ୍ରୀଙ୍କ ବୟାନ ଆସିଲା । ସେ କହିଲେ ଇଣ୍ଡିଆ ମେଣ୍ଟର ଗଠନ ସନାତନ ଧର୍ମକୁ ଶେଷ କରିବା ପାଇଁ ହୋଇଛି ।  ସେ ଆହୁରି ପ୍ରଶ୍ନ କରିଛନ୍ତି, ଭୋଟ ପାଇଁ ଯଦି ଧର୍ମକୁ ଆକ୍ଷେପ ତେବେ ଖାଲି ସନାତନ ଧର୍ମକୁ ନେଇ   କାହିଁକି କହୁଛି  ? ଅନ୍ୟ ଧର୍ମ ପ୍ରତି ଚୁପ କାହିଁକି ? ଏ ପ୍ରସଙ୍ଗରେ  ସୋନିଆ ଗାନ୍ଧୀ କାହିଁକି କିଛି କହୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବ୍ୟରୋ ରିପୋର୍ଟ ଭୁବନେଶ୍ୱର

Leave A Reply

Your email address will not be published.