Latest Odisha News

BREAKING NEWS

ପର୍‌ଭେଜ୍‌ ମୁଶାରଫ୍‌ଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିବା ବିଚାରପତିଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଜଜ୍ ୱାକର ସେଠ୍‌ଙ୍କର ଶୁକ୍ରବାର ଦିନ କରୋନା ଯୋଗୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଇସଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ପେଶୱାର ହାଇକୋର୍ଟର ବିଚାରପତି ୱାକର ସେଠ୍‌ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଖେବର୍‌ ପଖ୍‌ତୁନଖୱା ପ୍ରଦେଶର ଦିଖାନ ଜିଲ୍ଲାର ବାସିନ୍ଦା ଥିଲେ।

୨୨ ଅକ୍ଟୋବରରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ​​ଏବଂ ପରେ ତାଙ୍କୁ ପେଶୱାରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଇସଲାମାବାଦର କୁଲସୁମ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକାରୀଙ୍କ କହିବାନୁସାରେ, କରୋନା ଯୋଗୁଁ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା।

ୱାକର ସେଠ୍‌ ଜୁନ୍ ୨୦୧୮ ରେ ପେଶୱାର ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଡିସେମ୍ବର ୨୦୧୯ରେ, ଏକ ସ୍ୱତନ୍ତ୍ର ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବାବେଳେ ପରଭେଜ୍ ମୁଶାରଫଙ୍କୁ ନଭେମ୍ବର ୩, ୨୦୦୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସହ ଦେଶଦ୍ରୋହ ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ନିଷ୍ପତ୍ତି ପରେ ସେ ଆଲୋଚନା ପରିସରକୁ ଆସିଥିଲେ।

ପାକିସ୍ତାନର ସମସ୍ତ ସେଲିବ୍ରିଟି ୱାକର ସେଠ୍‌ଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ପେଶୱାରର ଆର୍ମି ଷ୍ଟାଡିୟମ ଗ୍ରାଉଣ୍ଡରେ ଏକ ସମବେଦନା ସଭା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.