ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୋର୍ରେ ଖେଳାଯାଇଥିବା ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ର ଫାଇନାଲ୍ରେ ଓଡ଼ିଶା ହକି ଦଳ ଚାମ୍ପିୟନ୍ ହୋଇଛି । ଶନିବାର ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୨–୧ ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ମ୍ୟାଚ୍ ଆରମ୍ଭର ମାତ୍ର ୨ ମିନିଟ୍ରେ ମନଦୀପ କେରକେଟା ଏକ ଚମତ୍କାର ଗୋଲ୍ ଦେଇ ଓଡ଼ିଶାକୁ ୧–୦ରେ ଆଗୁଆ କରିଥିଲେ । ତୃତୀୟ କ୍ୱାର୍ଟରର ୭ମ ମିନିଟ୍ରେ ମଧ୍ୟପ୍ରଦେଶର ସୋହିଲ୍ ଅଲ୍ଲୀ ପେନାଲ୍ଟି କୋର୍ନରରୁ ଡ୍ରାଗ୍-ଫ୍ଲିକ୍ ମାଧ୍ୟମରେ ଗୋଲ୍ ଦେଇ ସ୍କୋର ୧–୧ ବରାବର କରିଥିଲେ । ଏହାର ୮ ମିନିଟ୍ ପରେ ଦୀପକ ପ୍ରଧାନ ପେନାଲ୍ଟି କୋର୍ନରର ସୁନ୍ଦର ଭାରିଏସନ୍ରୁ ଗୋଲ୍ କରି ଓଡ଼ିଶାକୁ ୨–୧ରେ ଆଗୁଆ କରିଥିଲେ । ଶେଷ କ୍ୱାର୍ଟରରେ କୌଣସି ଦଳ ଗୋଲ୍ ଦେଇପାରି ନଥିବାରୁ ଓଡ଼ିଶା ବିଜୟୀ ହୋଇଥିଲା ।
ଜୁନିୟର ଜାତୀୟ ଚାମ୍ପିୟନସିପ୍ରେ ଓଡ଼ିଶାର ଏହା ୫ମ ଟାଇଟଲ୍ ବିଜୟ । ସର୍ବାଧିକ ୬ ଥର ଚାମ୍ପିୟନ୍ ହୋଇଥିବା ପଞ୍ଜାବ ପଛକୁ ଓଡ଼ିଶା ଏବେ ଦ୍ୱିତୀୟ ସଫଳତମ ଦଳ ଭାବେ ରହିଛି । ଓଡ଼ିଶା ସେମିଫାଇନାଲ୍ରେ ଶକ୍ତିଶାଳୀ ପଞ୍ଜାବକୁ ୬–୪ ଗୋଲ୍ରେ ହରାଇଥିବା ବେଳେ ମଧ୍ୟପ୍ରଦେଶ ୨–୦ ଗୋଲ୍ରେ ଝାଡ଼ଖଣ୍ଡକୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲା । ସେହିପରି ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ ୬–୩ ଗୋଲ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି । ,
