Latest Odisha News

BREAKING NEWS

ପେପର ଲିକ ଓ ବେରୋଜଗାର ପ୍ରସଙ୍ଗ: ସରକାରଙ୍କୁ ଜୋରଦାର ଘେରିଲେ ରାହୁଲ ଗାନ୍ଧୀ

ପ୍ରୟାଗରାଜ: ଆଗାମୀ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ରଣନୀତି ଜୋରଦାର କରାଯାଇଛି। ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ କଂଗ୍ରେସର ବହୁଚର୍ଚ୍ଚିତ ‘ଛାତ୍ରୋଁ କୀ ଗୂଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରୟାଗରାଜର ଇଣ୍ଟର କଲେଜ ଗ୍ରାଉଣ୍ଡ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେନ୍-ଜି ଏବଂ ବହୁସଂଖ୍ୟାରେ ଯୁବକସମାବେଶ ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ମୁଖ୍ୟତଃ ଦେଶ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥା, ବେରୋଜଗାରୀ, ନିଯୁକ୍ତିରେ ହେଉଥିବା ବିଳମ୍ବ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଜିର ଯୁବପିଢ଼ିଙ୍କ ଭବିଷ୍ୟତ ସହ ଜଡ଼ିତ ସମସ୍ୟାଗୁଡ଼ିକ ପ୍ରତି ସରକାର ଗମ୍ଭୀର ହେବା ଆବଶ୍ୟକ ।

ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମର ଆୟୋଜନକୁ ନେଇ କିଛି ପ୍ରଶାସନିକ ଓ ପ୍ରତିଷ୍ଠାଗତ କଟକଣା ଦେଖାଦେଇଥିଲା । କେପି ଟ୍ରଷ୍ଟ ପକ୍ଷରୁ ଶିକ୍ଷାନୁଷ୍ଠାନର ପରିବେଶ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମକୁ ପ୍ରଭାବିତ ନ କରିବା ସର୍ତ୍ତରେ ପ୍ରଥମେ ଅନୁମତି ପ୍ରତ୍ୟାହାର କରାଯାଇଥିଲା। ପରେ କଂଗ୍ରେସ ପ୍ରଦେଶ ସଭାପତି ଅଜୟ ରାୟଙ୍କ ଲିଖିତ ପ୍ରତିଶ୍ରୁତି ଓ ଆଶ୍ୱାସନା ପରେ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ ।

କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଅଭିଯାନରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ୨୦୨୭ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ଯୁବକ ଏବଂ ଛାତ୍ର ସମାଜକୁ ଏକାଠି କରିବା ଏବଂ ସେମାନଙ୍କ ଦାବିକୁ ଜୋରଦାର ଭାବେ ଉଠାଇବା ପାଇଁ କଂଗ୍ରେସର ଏହା ଏକ ବଡ଼ ରାଜନୈତିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

Leave A Reply

Your email address will not be published.