Latest Odisha News

ଜାତୀୟ ଜୁନିୟର ହକି: ଚାମ୍ପିୟନ ହେବା ସୁଯୋଗ ହାତଛଡା କଲା ଓଡିଶା

ଭୁବନେଶ୍ୱର: ୧୫ତମ ଜାତୀୟ ଜୁନିୟର ପୁରୁଷ ହକି ଫାଇନାଲରେ ଓଡିଶା ଟିମ ପ୍ରଶଂସଙ୍କୁ ନିରାଶ କରିଛି । ଆରମ୍ଭରୁ ୨-୦ରେ ଅଗ୍ରଣୀ ରହିବା ସତ୍ୱେ ଓଡିଶା ୩-୨ରେ ହରିୟାଣା ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି । ହରିୟାଣା ଟାଇଟଲ ହାସଲ କରିଥିବା ବେଳେ ପଞ୍ଜାବ ପେନାଲ୍ଟି ଶୁଟଆଉଟରେ ଉତରପ୍ରଦେଶକୁ ୪-୩ରେ ହରାଇ ତୃତୀୟ ସ୍ଥାନ ହାସଲ କରିଛି । ଫାଇନାଲରେ ଓଡିଶା ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଦୀପକ ପ୍ରଧାନ ଓ ପ୍ରତାପ ଟପ୍ପୋ ଯଥାକ୍ରମେ ୧୭ ଓ ୧୯ତମ ମିନିଟରେ ଓଡିଶା ପକ୍ଷରୁ ୨ଟି ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଏହି ୨ଟି ଗୋଲ ହୋଇଥିଲା ।

ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ଚିରାଗ ଓ ନୀତିନ ତୃତୀୟ କ୍ୱାର୍ଟରରେ ୨ଟି ଗୋଲ ସ୍କୋର କରି ହରିୟାଣାକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିଥିଲେ । ଏହା ପରେ ଉଭୟ ଟିମ ଗୋଲ ସ୍କୋର କରି ମ୍ୟାଚକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ତେବେ ନୀତିନ ଶେଷ ମୂହର୍ତରେ ଗୋଲ କରି ହରିୟାଣାକୁ ଚାମ୍ପିୟନ କରାଇଥିଲେ । ଚାପର ବଶୀଭୂତ ହୋଇ ଓଡିଶା ଟାଇଟଲ ହାସଲ କରିବା ନିଶ୍ଚିତ ସୁଯୋଗ ହାତଛଡା କରିଥିଲା ।

Comments are closed.