କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ରାଜନୀତିରେ ଯୋଗ ଦେବା ପାଇଁ ମଙ୍ଗଳବାର (ମାର୍ଚ୍ଚ ୫) ନିଜ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ମଙ୍ଗଳବାର ବିଚାରପତି ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ସେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯିଏ ତାଙ୍କୁ ବାରମ୍ବାର ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ଚ୍ୟାଲେଞ୍ଜ କରୁଛି।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆହୁରି ମଧ୍ୟ କହିଛନ୍ତି ଯେ ସେ ଦଳରେ ଯୋଗ ଦେବେ ନା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ କିମ୍ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଏମ)ରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ସାକ୍ଷାତକାରରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, “ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀତ୍ୱ ସ୍ଥିର କରିବା ବିଷୟରେ ସେ କୁହନ୍ତି, “ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, କିନ୍ତୁ ମୁଁ ପଶ୍ଚିମବଙ୍ଗର ଶାସକ ଦଳକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେ ମୋତେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି”।
ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ, ଆସନ୍ତା ୫ ମାସ ମଧ୍ୟରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ସହ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କର ନ୍ୟାୟିକ ବିବାଦ ହୋଇଥିଲା। ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରେ ଜାତିଗତ ପ୍ରମାଣପତ୍ର ଦୁର୍ନୀତି ଓ ମେଡିକାଲ କଲେଜରେ ନାମଲେଖାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ଉପରେ ରୋକ ଲଗାଇବା ପରେ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
ଏହାବ୍ୟତୀତ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାର ମଧ୍ୟ ତାଙ୍କୁ ନେଇ ବିବାଦ ସୃଷ୍ଟି କରିଥିଲା। ଏହାଉପରେ ସୁପ୍ରିମ୍ କୋର୍ଟ ମଧ୍ୟ କଡ଼ା ମନ୍ତବ୍ୟ ଦେଇଥିଲେ ଏବଂ ବର୍ତ୍ତମାନର ବିଚାରପତିମାନଙ୍କର ଟିଭି ଚ୍ୟାନେଲଗୁଡ଼ିକୁ ସାକ୍ଷାତକାର ଦେବାର ଅଧିକାର ନାହିଁ ବୋଲି କହିଛନ୍ତି।
ସେହିପରି ୨୫୦ ଜଣ ଓକିଲ ପ୍ରଧାନ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କୁ ଚିଠି ଲେଖିବା ପରେ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କୁ କୋର୍ଟ ରୁମରେ ଆଡଭୋକେଟ୍ ଜେନେରାଲ କିଶୋର ଦତ୍ତଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା।
Comments are closed.