Latest Odisha News

BREAKING NEWS

ପୁରୀର ଜଣେ ୟୁଟ୍ୟୁବରଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ କନେକ୍ସନ, ଆଇବିର ପଚରାଉଚରା ଜାରି

ପୁରୀ: ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ଖୋଳତାଡ଼। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି। ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା କରାଯାଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା କରାଯାଉଛି। ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା।

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ। ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି। ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଛାଡ଼ିଛନ୍ତି। ଜ୍ୟୋତି ପୋଲିସ ଦ୍ବାରା ଗିରଫ ହେବା ପରେ ତାଙ୍କ ପୁରୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି।

ବଡ଼କଥା ହେଉଛି, ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସଂପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଗତ ଜାନୁଆରୀରେ ଦୁଇଜଣ ସାଙ୍ଗ ହୋଇ ପାକିସ୍ତାନର କର୍ତ୍ତାରପୁର କରିଡର୍‌ ଯାଇଥିଲେ। ଯାହାର ଫଟୋ ଯୁବତୀ ନିଜ ସୋସିଆଲ୍‌ ଆଇଡିରେ ଛାଡ଼ିଛନ୍ତି। ଏଣୁ ଯୁବତୀଙ୍କୁ ରାଜ୍ୟ ଗୁଇନ୍ଦା ଓ ଜିଲ୍ଲା ପୋଲିସ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରତିବର୍ଷ ଭଳି ଚଳିତବର୍ଷ ବି ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗୁଇନ୍ଦାଗିରି ପାଇଁ ଜ୍ୟୋତିଙ୍କ ଗିରଫ ପୋଲିସର ମୁଣ୍ଡବଥା ବଢ଼ାଇ ଦେଇଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତି। ଗତକାଲି ଜ୍ୟୋତି ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ।

Comments are closed.