ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ କେ-ଆଇ୩ ଫେଷ୍ଟ ଉଦ୍ଘାଟିତ ହୋଇଯାଇଛି। କିଟ୍ ଡିନ୍ ଗୋଲ୍ଡ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍, ଇମ୍ପାକ୍ଟ)କୁ ନେଇ ଆୟୋଜିତ ହୋଇଛି। କେ-ଆଇ୩ ଫେଷ୍ଟ ପ୍ରଥମ ସଂସ୍କରଣର ବିଷୟ ବସ୍ତୁ ରହିଛି ଫ୍ରଣ୍ଟିଅର ଟେକ୍ନୋଲୋଜି ଫର ବିକଶିତ ଭାରତ-୨୦୪୭। ଏହି ଅବସରରେ କିଟ୍ର ୨୪ଟି ବିଭିନ୍ନ ସ୍କୁଲ୍ର ୬ଶହ ଛାତ୍ରଛାତ୍ରୀ ୨୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓପିଏସ୍ସିର ପ୍ରାକ୍ତନ ଅଧ୍ୟକ୍ଷ ବ୍ରିଗେଡିୟର ଡ. ଲକ୍ଷ୍ମୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ସେ କହିଛନ୍ତି, ବିଶ୍ୱର ଅଧିକାଂଶ ସର୍ଜନା ଓ ଆବିଷ୍କାର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରୁ ହିଁ ଆରମ୍ଭ ହୋଇଛି। ୩ଡି ପ୍ରିଣ୍ଟିଂଠାରୁ ଆରମ୍ଭ କରି ବ୍ଲକ୍ଚେନ୍ ଟେକ୍ନୋଲୋଜି ପର୍ଯ୍ୟନ୍ତ ବିଭିନ୍ନ ସୃଷ୍ଟି ବିଶ୍ୱବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇଛି। ଏବେ ଆତ୍ମନିର୍ଭର ଭାରତ ପ୍ରୟାସ ଅଧିନରେ ବିଭିନ୍ନ ପ୍ରତିରକ୍ଷା ଉତ୍ପାଦ ତିଆରି କରାଯାଉଛି। ଏଭଳି ଉଦ୍ୟୋଗ କରି ବହୁ ଯୁବକ ଉଦ୍ୟୋଗପତି ହୋଇପାରିଛନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ସେ କହିଥିଲେ, କେବଳ କୌଣସି ପରିକଳ୍ପନାକୁ ନିଜ ମନ ମଧ୍ୟରେ ଆଣିଲେ ହେବ ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ସହ ଏହା ପ୍ରଭାବ କଣ ରହିବ ତା ଉପରେ ମଧ୍ୟ ଚିନ୍ତା କରିବା ଉଚିତ। ନିଜ ପରିକଳ୍ପନା ଓ ସର୍ଜନାର ପ୍ରଭାବ ନ ରହିେ, ତାହା ଫଳପ୍ରଦ ହୋଇ ନ ଥାଏ। ନିଜ ସର୍ଜନାକୁ ଆଗକୁ ନେବା ପାଇଁ କିଟ୍ ହେଉଛି ପ୍ରକୃଷ୍ଟ କ୍ଷେତ୍ର ବୋଲି ଶ୍ରୀ ସାମନ୍ତ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ବିଭିନ୍ନ ସ୍କୁଲ୍ର ଡିନ୍ମାନେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଡିନ୍ ଗୋଲ୍ଡ କ୍ଲବ୍ ଅଧ୍ୟକ୍ଷ ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.