ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓ (କେସିିଆର) ଙ୍କ ଝିଅ ତଥା ପୂର୍ବତନ ଏମଏଲସି କେ. କବିତା ଆଜି ଆନୁଷ୍ଠାନିକ ଭାବେ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏହି ନୂଆ ଦଳର ନାମ ରଖାଯାଇଛି ‘ତେଲେଙ୍ଗାନା ରାଷ୍ଟ୍ର ସେନା’ (Telangana Rashtra Sena ବା TRS)। ବିଶେଷ କଥା ହେଉଛି, କବିତା ନିଜ ଦଳର ଯେଉଁ ସଂକ୍ଷିପ୍ତ ନାମ ‘TRS’ ରଖିଛନ୍ତି, ତାହା ତାଙ୍କ ବାପା କେସିଆରଙ୍କ ଦଳର ପୁରୁଣା ନାମ ସହ ସମାନ (ପୂର୍ବରୁ ବିଆରଏସ୍ର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ୍ ଥିଲା)।
କେ. କବିତା ଦୀର୍ଘ ଦିନ ଧରି ଭାରତ ରାଷ୍ଟ୍ର ସମିତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ। କିନ୍ତୁ ଗତ କିଛି ସମୟ ଧରି ଦଳର ଶୀର୍ଷ ନେତୃତ୍ୱ କହିବାକୁ ଗଲେ ନିଜ ପରିବାର ଓ ବାପାଙ୍କ ସହିତ ମତଭେଦ ଜୋର ହୋଇଥିଲା। ଏହି ଆଭ୍ୟନ୍ତରୀଣ ବିବାଦ କାରଣରୁ ଗତ ଜୁନ୍ ୨୦୨୫ ରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏହା ପରେ ସେ ରାଗିଯାଇ ନିଜର ବିଧାନ ପରିଷଦ ସଦସ୍ୟ ପଦବୀ ଏବଂ ବିଆରଏସ୍ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ମୂଳ ଦଳରୁ ଦୂରେଇ ଯିବା ପରେ କବିତା ରାଜନୀତିରେ ନିଷ୍କ୍ରିୟ ହୋଇନଥିଲେ। ସେ ନିଜ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ତେଲେଙ୍ଗାନା ଜାଗୃତି’ (Telangana Jagruthi) ମାଧ୍ୟମରେ ନିଜର ସ୍ୱାଧୀନ ରାଜନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଥିଲେ। ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ସେ ସମଗ୍ର ତେଲେଙ୍ଗାନାରେ “ଜାଗୃତି ଜନମ ବାଟା” ନାମକ ଏକ ବ୍ୟାପକ ଯାତ୍ରା ଆରମ୍ଭ କରିଥିଲେ।
ରାଜନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କବିତା ପ୍ରଥମେ ନିଜର ନୂଆ ଦଳର ନାମ ନିଜ ସଂଗଠନ ସହ ମିଶାଇ “ତେଲେଙ୍ଗାନା ପ୍ରଜା ଜାଗୃତି” ରଖିବାକୁ ବିଚାର କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତେଲେଙ୍ଗାନା ଆନ୍ଦୋଳନର ଭାବାବେଗ ଏବଂ ଲୋକଙ୍କ ମନରେ ଥିବା ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ସେ ଅତ୍ୟନ୍ତ ଚତୁରତାର ସହ ନିଜ ଦଳର ନାମ ‘ତେଲେଙ୍ଗାନା ରାଷ୍ଟ୍ର ସେନା’ (TRS) ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି। କାରଣ ଟିଆରଏସ ନାମରେ ତାଙ୍କ ବାପାଙ୍କ ରାଜନୈତିକ ଦଳ ଯେଉଁ ଆଦୃତି ପାଇଥିଲା ତାହା ବିଆରଏସ ହେଲା ପରେ ଭୁଶୁଡିଗଲା।