Latest Odisha News

BREAKING NEWS

କବି ନୃସିଂହ ତରାଇଙ୍କ ଚତୁର୍ଥ କବିତା ସଂକଳନ ‘ଆକାଶରେ ମେଘ ନାହିଁ’ ଲୋକାର୍ପିତ

ଭୁବନେଶ୍ୱର: ବିଜୟିନୀ ପବ୍ଲିକେଶନସ୍ ଦ୍ୱାରା ପ୍ରକାଶିତ ପ୍ରଗତିଶୀଳ ଯୁବକବି ନୃସିଂହ ତରାଇଙ୍କ ଚତୁର୍ଥ କବିତା ସଂକଳନ ‘ଆକାଶରେ ମେଘ ନାହିଁ’ ଗୀତଗୋବିନ୍ଦ ସଦନରେ ଏକ ବର୍ଣ୍ଣାଢ୍ୟ ସଭାରେ ଲୋକାର୍ପିିତ ହୋଇଯାଇଛି । ପ୍ରାରମ୍ଭରେ କବି ନିରାକାର ଦାସ ସ୍ୱାଗତ ଭାଷଣ ଦେଇ ବ୍ୟସ୍ତବହୁଳ ଜୀବନରେ କବିତା ଲେଖି ସମାଜକୁ ଦିଗ୍‌ଦର୍ଶନ ଦେବା ଓ କବିତା ମାଧ୍ୟମରେ ସମ୍ଭାବନାର ସୂତ୍ର ଖୋଜିବାରେ କବି ନୃସିଂହ ତରାଇଙ୍କ କାବ୍ୟଶିଳ୍ପ ଧୁରୀଣ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କବିତାରେ ବିଶ୍ୱାସ ଓ ପ୍ରେମକୁ ଗୁରୁତ୍ୱ ଦେଇ ସାମ୍ପ୍ରତିକ ସମାଜର ପ୍ରତିଛବି ତୋଳିବାକୁ କହିଥିଲେ । ମୁଖ୍ୟବକ୍ତା ପ୍ରଖ୍ୟାତ କଥାଶିଳ୍ପୀ ଡ. ବିଭୂତି ପଟ୍ଟନାୟକ ନୃସିଂହ ତରାଇଙ୍କ କବିତାରେ ମାନବବାଦର ଅବତାରଣା କରି କବିତା ସର୍ବଦା ଜୀବନଧର୍ମୀ ହେବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ ।

ଅନ୍ୟତମ ବକ୍ତା ଭାବେ ପଦ୍ମଭୂଷଣ ରମାକାନ୍ତ ରଥ, ଡ. ହୁସେନ ରବି ଗାନ୍ଧୀ, ଇନ୍ଦିରା ଦାଶ, କୃଷ୍ଣ ବଳ, ଡ. ଝାନ୍‌ସୀ ସିଂ ନୃସିଂହ ତରାଇଙ୍କ କବିତାରେ ସାଧାରଣ ମଣିଷ ଓ ସାମ୍ପ୍ରତିକ ସମାଜର ପ୍ରତିଛବି ମିଳୁଥିବା ବେଳେ ନିରାଶା, ଦୁଃଖ ମଧ୍ୟରେ ସ୍ନେହ, ପ୍ରେମ, କରୁଣା ଓ ମାନବବାଦ ତାଙ୍କ କବିତାର ମୁଖ୍ୟ ଉପଜୀବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ପ୍ରାବନ୍ଧିକ ଓ ସମୀକ୍ଷକ ଅସିତ୍ ମହାନ୍ତି ପୁସ୍ତକଟିର ସମୀକ୍ଷା ପୂର୍ବକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶେଷରେ ପ୍ରକାଶକ ଦିଲ୍ଲୀପ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.