Latest Odisha News

BREAKING NEWS

କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ପୁରୀ: ପବିତ୍ର ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ୍ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଜାଜୁଲ୍ୟମାନ କିର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଓଡିଶା ବାସୀ ଓ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ପରେ ରଥ ଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରସ୍ତୁତ କାବ୍ୟାଞ୍ଜଳି କଫି ଟେବୁଲ ବୁକର ଅନାବରଣ କରିଥିଲେ ।

ନିଜ ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କୁମ୍ଭମେଳାରେ ୬୬ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ । ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ସେଠାରେ ସ୍ନାନ କରି ସାଧୁ, ସନ୍ଥ, ମହାତ୍ମାମାନଙ୍କ ମିଶିବାର ସୁଯୋଗ ପାଇଥିଲି । ସ୍ନାନ ମନ୍ତ୍ରକୁ ଉଚ୍ଚାରଣ କରି ଆମେ ନଦୀ, ପୋଖରୀ ବା ସ୍ନାନାଗାରରେ ସ୍ନାନ କରିଥାନ୍ତି । କିନ୍ତୁ ମହାକୁମ୍ଭର ପବିତ୍ର ଓ ପ୍ରାକୃତିକ ପରିବେଶରେ ପବିତ୍ର ସ୍ନାନ ଅଦ୍ଭୁତ ଓ ଅବିସ୍ମରଣୀୟ ।

ସେହି ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଏହି ଆଧ୍ୟାତ୍ମିକ କବିତାଞ୍ଜଳି କଫି ଟେବୁଲ ବହିଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ, ଯାହା ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପ୍ରତୀକ । ସାରଳା ଦାସ, ଜଗନ୍ନାଥ ଦାସ, ଗଙ୍ଗାଧର ମେହେର, ଫକୀରମୋହନଙ୍କ ସାହିତ୍ୟ କୃତି ଆମ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଏହି ପୁସ୍ତକ ଉନ୍ମୋଚନ ଏକ ବିରାଟ ଉପଲବ୍ଧି । ୨୦୩୬ ବିକଶିତ ଓଡିଶା ଓ ୨୦୪୭ ବିକଶିତ ଭାରତ ପାଇଁ ଆମେ ସମସ୍ତେ ସମବଦ୍ଧ ଭାବେ କାର୍ଯ୍ୟ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ ।

ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହି ଉପାଦେୟ କଫି ଟେବୁଲ ବହିଟି ଏୟାର ପୋର୍ଟ ମାନଙ୍କରେ ରଖିଲେ ଏହା ଅନେକ ଲୋକଙ୍କୁ ନୂତନ ଦିଶା ଦେଖାଇ ପାରିବ ବୋଲି କହିବା ସହ ରଥଯାତ୍ରା ଅବସରରେ ଏହି ଭଳି ପୁସ୍ତକ ପ୍ରକାଶନ ପାଇଁ ଅନୁରୋଧ କରିଥିଲେ । ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ମଠର ମହନ୍ତ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

 

Comments are closed.