Latest Odisha News

BREAKING NEWS

କଳାହାଣ୍ଡି ଗଣଦୁଷ୍କର୍ମ ଘଟଣା: ଚାଞ୍ଚଲ୍ୟକର ବୟାନ ଦେଲେ ପୀଡ଼ିତା

ଭବାନୀପାଟଣା/ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଜଣେ କଲେଜ ଛାତ୍ରୀ ସହ ହୋଇଥିବା ଗଣଦୁଷ୍କର୍ମ ଏବେ ନୂଆମୋଡ଼ ନେଇଛି । ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପୀଡ଼ିତା । ସେ କହିଛନ୍ତି ଯେ, ତାଙ୍କୁ ଗାଁ ଯାଏଁ ନିଜ ବାଇକରେ ଲିଫ୍ଟ ଦେଇ ଆଣିଥିବା ଜଣେ ବସ ଚାଳକ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ।

ଗଣମାଧ୍ୟମକୁ ସୂଚନା ଦେଇ ପିଡିତା କହିଛନ୍ତି ଯେ, ” ସେପ୍ଟେମ୍ବର ୧୪ ତାରିଖରେ କିଛି ମେଡିକାଲ ଚେକଅପ ପାଇଁ ମୁଁ ଭବାନୀପାଟଣା ଯାଇଥିଲି । ସେଠାରୁ ଫେରିବା ପାଇଁ ମୁଁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ନରେନ୍ଦ୍ର ଶବର ଓରଫ ଲଲିନ୍ଦ୍ର ସହ ମୋର ଦେଖା ହୋଇଥିଲା । ସିଏ ମତେ ତାର ବାଇକରେ ବସାଇ ମୋ ଗାଁରେ ଛାଡ଼ି ଦେବ ବୋଲି କହିଥିଲା” ।

“ଘରକୁ ଆସିବା ବାଟରେ ସେ ଅନେକ ଥର ଫୋନରେ କଥା ହେଉଥିଲା । ବନମାଲିପୁର ପାଖରେ ସେ ହଠାତ ତାର ବାଇକର ବେଗ କମାଇ ଦେଲା ଏବଂ ମନ୍ଦିର ପଛପଟେ ଥିବା ଜରିଙ୍ଗ ଜଙ୍ଗଲରୁ ୬ ଜଣ ଯୁବକ ବାହାରି ଆସିଲେ ଆଉ ମତେ ଘୋଷାଡି ଜଙ୍ଗଲ ଭିତରକୁ ନେଇଗଲେ । ପ୍ରଥମେ ଲଲିନ୍ଦ୍ର ଓ ପରେ ଅନ୍ୟମାନେ ମୋ ସହ ଦୁଷ୍କର୍ମ କରିଥିବା” କହିଛନ୍ତି ପିଡିତା ।

ପୋଲିସ ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, କିନ୍ତୁ କାହିଁକି ଲଲିନ୍ଦ୍ରଙ୍କୁ ମୁକ୍ତ ଛାଡି ଦେଇଛି ? ଯଥାଶୀଘ୍ର ପୋଲିସ ଲଲିନ୍ଦ୍ରକୁ ଗିରଫ ନକଲେ ମୁଁ ଆତ୍ମହତ୍ୟା କରିବି” ବୋଲି ଧମକ ଦେଇଛନ୍ତି ପିଡିତା ।

ଏପଟେ ସରକାରୀ ଦଳ ବିଜେଡିର ଚାପ ଯୋଗୁଁ ଲଲିନ୍ଦ୍ରକୁ ପୋଲିସ ଛାଡ଼ିଦେଇଥିବା ଶୁକ୍ରବାର ଦିନ ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି ।

ଲେଖାଶ୍ରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଲଲିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ପ୍ରବୋଧ ରଥଙ୍କ ଘରୋଇ ବସର ଡ୍ରାଇଭର ଅଟେ । ଲଲିନ୍ଦ୍ରର ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ମଧ୍ୟ ଘନିଷ୍ଠତା ରହିଥିବା କାରଣରୁ ସେ ଲଲିନ୍ଦ୍ର ମୁକୁଳିବା ପଛରେ ତାଙ୍କର ହାତ ଥିବା ଲେଖାଶ୍ରୀ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.