ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

କେଦାର ମିଶ୍ର

ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପଚାପ୍ ବସିଯାଏ । ନିଜେ ନିଜେ ଗପର ଚରିତ୍ରମାନଙ୍କୁ ଖୋଜେ । ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି । ସେ ମନେପକାଏ ତା ଜେଜେ ମା’ର ପାକୁଆ ମୁହଁ । ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର । ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି । କଳ୍ପନା ଓ ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ । ସେ ଜୀବନକୁ ଯେମିତି ଦେଖେ ସେମିତି ଗପ ଲେଖେ । ଗପ ଲେଖିଲେ ଛପା ହେବ, ସେ ଗପ ସବୁକୁ ନେଇ ବହି ବାହାରିବ, ତା ଫଟୋ ଖବରକାଗଜରେ ବାହାରିବ- ଏତେ କଥା ସେ ଜାଣିନଥାଏ । ନିଜ ସରଳ ଅନ୍ଧାର ଭିତରେ ଗପର ଜୀବନଟି ସେ ବଞ୍ଚୁଥାଏ । ନିଜ ପ୍ରତିଭା ଓ କଳ୍ପନା ପ୍ରତି ଆଦୌ ସଚେତନ ନଥିବା ଆଦିବାସୀ ଝିଅଟି ଜାଣେନାହିଁ ଯେ ସେ ତା ସମାଜ ଓ ସମୟ ପାଇଁ ଏକ ବିପ୍ଲବ ସୃଷ୍ଟି କରିଛି । ପୁରୁଣା ସ୍ମୃତି ଓ କଳ୍ପନାରୁ ସେ ଯେଉଁ ଗପ ସବୁ ଛାଣି ଆଣିଛି ସେ ଗପ ଆଗାମୀ ଦିନରେ ତା ନିଜ ଲୋକଙ୍କ ପ୍ରାଣ ସ୍ପନ୍ଦନ ପାଲଟିଯିବ । ଆଜି ନହେଲେ କାଲି ସାହିତ୍ୟର ମୁରବୀମାନେ ସ୍ୱୀକାର କରିବେ ଯେ ଏମିତି ଗପ ସହରରେ ରହି ଲେଖାଯାଇପାରେନା । ଗପର କାରିଗରୀ ଓ କଳାକୌଶଳ କେବଳ ବହି ପଢ଼ିଲେ ଆସେ ନାହିଁ, ଏହା ଆସେ ଜୀବନର ଗଭୀର ଅନୁଭବରୁ । ଜୀବନର ଅନ୍ଧାର ଓ ବାଟଭୁଲା ଦୁଃଖ ଭିତରେ ଗପ ତିଆରି ହୁଏ । ସେ ଗପ ତିଆରି କରୁଥିବା ଝିଅଟିର ନାଁ ବାସନ୍ତୀ ମାଝୀ।

ନାମ – ବାସନ୍ତୀ ମାଝୀ, ଠିକଣା – ସେବାଭାରତୀ, ତୁମୁଡିବନ୍ଧ, କନ୍ଧମାଳ, ବୃତ୍ତି – ଘରକାମ କରୁଥିବା ଜଣେ ସାଧାରଣ ଝିଅ । ସକାଳୁ ଉଠି ଝାଡୁ କରିବା, ବାସନବର୍ତ୍ତନ ମାଜିବା, ରୋଷେଇ କରିବା, ଅଳିଆ ସଫା କରିବା ଓ ଦିନସାରା ଖଟିବାରେ ତା ଦିନ ସରିଯାଏ । ଦେଖିବାକୁ ନହନହକା ପତଳା, ବୟସ ଲାଗେ ୨୦ ରୁ କମ୍ । ଅସଲରେ କେବେଠୁ ତାର ବାହାଘର ସରିଛି । ତା ବର ମରିଯାଇଛି ଗୋଟେ ଅଜଣା ରୋଗରେ । ଛୋଟଛୋଟ ପିଲାଙ୍କୁ ନେଇ ନିଜ ସଂସାର ଚଳାଇବାକୁ ସେ ଚାକିରୀ କରୁଛି ସେବାଭାରତୀ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ। ବାସନ୍ତୀ ସହିତ ସେଠି ମୋର ଦେଖା । ଏତେ ଚୁପଚାପ୍ ଝିଅ ଯେ ତାକୁ ଦେଖିଲେ ଲାଗିବ, ଯେମିତି ସବୁ ନିରବତା ତାରି ଆଖିରେ ଠୁଳ ହୋଇଛନ୍ତି । କେମିତି ଗୋଟେ ଉଦାସ ଓ ସ୍ଥିର ତାର ଆଖି ଦୁଇଟି । କାମ କରୁ କରୁ ଟିକିଏ ସମୟ ପାଇଲେ ବହି କି ଖାତା ଧରି ସେ ବସି ଯାଉଛି ।

ମୋର କୌତୁହଳ ବଢ଼ିଲା । କିଏ ଏଇ ଝିଅଟି ? କରେ କ’ଣ ? କ’ଣ ସବୁ ଲେଖୁଛି ? ଏସବୁ ପ୍ରଶ୍ନର ଉତ୍ତର ମିଳିଲା ବିଶିଷ୍ଟ ଲୋକତତ୍ତ୍ୱବିତ୍ ତଥା କନ୍ଧମାଳର ଜନଜୀବନକୁ ନେଇ ବେଶ୍ ତତ୍ପରତାର ସହ ଅଧ୍ୟୟନ କରିଥିବା ଐତିହାସିକ ସ୍ଵର୍ଗତ ରଘୁନାଥ ରଥଙ୍କଠାରୁ । (ଆଉ କେବେ ରଘୁନାଥ ରଥଙ୍କ ବିଷୟରେ ଲେଖିବି। ଲୋକ ଭାଷା ଓ ଲୋକ ଜୀବନକୁ ନେଇ ସେ ଯେଉଁ କାମ କରିଛନ୍ତି ତାହା ଅଦ୍ଭୁତ। ଅଥଚ ତାଙ୍କୁ ଓଡିଶାରେ ତାଙ୍କ ଜୀବଦ୍ଦଶାରେ କେହି ଚିହ୍ନିଲେ ନାଇଁ।) ରଘୁ ବାବୁ ବାସନ୍ତୀ ବିଷୟରେ ଯାହା ସବୁ କହିଲେ, ତାହା କୌଣସି କାହାଣୀଠାରୁ କମ୍ ନୁହେଁ । କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

ମୋର ମନେପଡୁଛି ବାସନ୍ତୀ ସହ ମୋର ପ୍ରଥମ ଦେଖା ହୋଇଥିଲା ପ୍ରାୟ ୯ ବର୍ଷ ତଳେ । କନ୍ଧମାଳ ଦଙ୍ଗାର ପ୍ରାୟ ବର୍ଷେ ପରେ । ପ୍ରମୋଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସେବା ଭାରତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଏକ ତାଲିମ୍ କାର୍ୟ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥାଏ । ସେଠି ବାସନ୍ତୀ ସହ ପ୍ରଥମ ଦେଖା । ସେତେବେଳେ ତାର ଗପ ଲେଖାଖୁବ୍ ଜୋର୍ରେ ଚାଲିଥାଏ । ରଘୁନାଥ ରଥ ତାର ଗପ ସବୁକୁ କୁଇରୁ ଓଡିଆକୁ ଅନୁବାଦ କରୁଥାନ୍ତି । ମୁଁ ବାସନ୍ତୀକୁ ପଚାରିଥିଲି, ‘ତମେ ଗପ ଲେଖିଲ କେମିତି ? ବାସନ୍ତୀର ଉତ୍ତର ଥିଲା ଗପ ବୋଇଲେ କିସ ଆଜ୍ଞା ? ମୁଁ ମୋ ବୁଢ଼ୀ ମା ପାଖରୁ ଯାହା ଶୁଣିଥିଲି ଓ ଗାଁ ଲୋକ ଯାହାସବୁ କୁହନ୍ତି ତାକୁ ଲେଖି ପକେଇଛି ।’ ସତରେ ବାସନ୍ତୀର ଗପରେ କୌଣସି ଖାଦ ନାହିଁ । ସବୁଗୁଡିକ ନିର୍ମଳ ଜୀବନ । କନ୍ଧମାଳର ପାଣି, ପବନ, ଝୋଲା, ଡଙ୍ଗର୍, ମାଣ୍ଡିଆ କ୍ଷେତ, ହଳଦୀ ପତ୍ର, ବଣଭାଲୁ, ଶୁଆ, ବାଘ, ହାତୀ ଓ ମଣିଷମାନେ ତା ଚରିତ୍ରର କେନ୍ଦ୍ରବିନ୍ଦୁ । ତା ଗପରେ ଶାଗୁଣାଟିଏ ଛୋଟ ପିଲାକୁ ମା ପରି ପାଳିପାରେ । ଦୂର ଗାଁରୁ ବିସ୍କୁଟ୍ କିଣି ଆଣିଦେଇପାରେ । ଏମିତି ବି ହେଇପାରେ ଯେ କନ୍ଦମୂଳ ଲତା ତଳେ ସାନ ଝିଅଟେ ଜନ୍ମ ହେଇପାରେ । ଝୁଡଙ୍ଗ ବିଡା ଭିତରୁ ହଠାତ୍ ଝିଅଟେ ଡେଇଁପଡି ଘର ଓଳେଇବା ଆରମ୍ଭ କରିପାରେ । ବଡ ଅଦ୍ଭୁତ ଗପର ଗଢ଼ଣ । ବଡ ବିଚିତ୍ର ଚରିତ୍ରମାନଙ୍କର ଗତି । ସବୁ ଗପର ଶେଷରେ ଏକ ଚୁପଚାପ୍ ପରିସମାପ୍ତି ।

ଆଧୁନିକ ପୃଥିବୀର ସାହିତ୍ୟରେ ଏପ୍ରକାର ଗପକୁ କୁହୁକ ବାସ୍ତବତା ବା ମ୍ୟାଜିକ୍ ରିୟାଲିଜିମର ଗପ ବୋଲି କୁହାଯାଏ । ଲାଟିନ୍ ଆମେରିକାର ମହାନ୍ କଥାଶିଳ୍ପୀ ତଥା ନୋବେଲ୍ ପୁରସ୍କାର ବିଜେତା କଥାକାର ଗାବ୍ରିଏଲ୍ ଗାର୍ସିଆ ମାକ୍ୱେର୍ଜଙ୍କ ଲିଖନ ଶୈଳୀ ଏପ୍ରକାର । ମାକ୍ୱେର୍ଜଙ୍କ ଗଳ୍ପର ଧାରାରେ କୁହୁକ ଯେତିକି ଜୀବନର ବାସ୍ତବତା ସେତିକି । କୁହୁକ ବାସ୍ତବତାକୁ ନେଇ ଗପ ଲେଖିଥିବା ଅନେକ ବଡ ବଡ ଲେଖକଙ୍କୁ ଆମେ ଜାଣିଛୁ । ଯେମିତି ଜର୍ଜ ଲୁଇ ବୋରେ ବା ଲୋସା । ଏମାନେ ବଡ ବଡ ଲେଖକ ବହୁ ପୁରସ୍କାର ପାଇଛନ୍ତି । ବାସନ୍ତୀ ମାଝୀ ଏମାନଙ୍କ ଆଗରେ କୁଟାଖିଅଟିଏ ମାତ୍ର । ଅଥଚ ସାହିତ୍ୟର ମାପ କାଠିରେ ଲାଗିପାରେ ବାସନ୍ତୀ ମାଝୀ ଏମାନଙ୍କ ସମଗୋତ୍ରୀୟ । ଲାଟିନ୍ ଆମେରିକାର ଜନଜାତି ଓ ସେମାନଙ୍କ ଜୀବନକାହାଣୀ ଆଧାରରେ ଯେଉଁ କୁହୁକ ବାସ୍ତବତା ନିର୍ମିତ ହୋଇଥିଲା, ତାହା ଓଡିଶାର କନ୍ଧମାଳ ଜିଲ୍ଲାରେ ଗୋଟେ ଅଲଗା ରୂପ ନେଇ ବଢ଼ି ଉଠୁଛି । ଏଠି ସାହିତ୍ୟ ବୌଦ୍ଧିକତାର କଳାକୌଶଳ ନୁହେଁ, ବରଂ ଏଠି ସାହିତ୍ୟ ହେଉଛି ଜୀବନର ଏକୁଟିଆ ଓ ନିଛାଟିଆ ସ୍ୱର ଲିପି । ବାସନ୍ତୀ ମାଝୀ ହୁଏତ ମାକ୍ୱେଜ ନୁହଁନ୍ତି । ହେଲେ ସାହିତ୍ୟରେ ବାସନ୍ତୀ ମାଝୀର ଏକ ନିଜସ୍ୱ ସ୍ୱର, ଶୈଳୀ ତଥା ପରିଚୟ ରହିଛି । ଏପରିକି ଓଡିଆ ସାହିତ୍ୟର ବିଶିଷ୍ଟମାନଙ୍କ ଗହଣରେ ବାସନ୍ତୀ କେବେ ଆସି ବସେ ନାହିଁ । ତାକୁ ଓଡିଆ ସାହିତ୍ୟିକମାନେ ଜାଣି ବି ନଥିବେ । ଇତିମଧ୍ୟରେ କେବେ କେମିତି ଖବରକାଗଜରେ ବାସନ୍ତୀ ମାଝୀର ଜୀବନକାହାଣୀ ଓ ତା ଗପର ଚର୍ଚ୍ଚା ହୋଇଛି । ତାହା କିନ୍ତୁ ଯଥେଷ୍ଟ ନୁହେଁ ।

ବାସନ୍ତୀ ଓ ତାର ଅନ୍ଧାରର କଥାନୀ କେବେ ଦିନେ ଗୋଟେ ଅଦ୍ଭୁତ ତାରକା ପରି ଆମ ସାହିତ୍ୟକୁ ଝଲସାଇ ଦେବ, ସେମିତି ଏକ ଆଶା ମୋର ରହିଛି।