Latest Odisha News

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା’ ଦକ୍ଷିଣକାଳୀ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରଗୋବିନ୍ଦପୁର ଗ୍ରାମରେ କାହିଁ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି ମା’ ଦକ୍ଷିଣକାଳୀ । କୁହାଯାଏ ମାଆ ଦକ୍ଷିଣକାଳୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିକ । ତାଙ୍କର ସମସ୍ତ ନୀତିକାନ୍ତି ମାଆଙ୍କର ନୀତିକାନ୍ତି ସହ ଓତଃପ୍ରୋତ ଭାବେ ଜଡିତ । କାଳୀ ପୂଜା ପାଇଁ ଏହି ଗ୍ରାମ ପ୍ରସିଦ୍ଧ ଥିବାବେଳେ, ଜିଲ୍ଲାର ଆଉ ଦୁଇଟି ସ୍ଥାନ ସମଯାଜପୁର ଓ ବୀରପ୍ରତାପ ପୁରରେ ଏହି ଦିନ ମାଆଙ୍କର ମୁଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ।

ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସମଯାଜପୁରରେ ବଡ ଭଉଣୀ ମା’ କାମାରୁପା, ବୀର ପ୍ରତାପପୁର ଗ୍ରାମରେ ମଝିଆଁ ଭଉଣୀ ମା ଉଗ୍ରତାରା, ଏବଂ ବୀରଗୋବିନ୍ଦପୁରରେ ସାନ ଭଉଣୀ ମା’ ଦକ୍ଷିଣ କାଳୀ ବିରାଜମାନ ହୋଇ ପୂଜାପାଉଛନ୍ତି । ଏହି ପୂଜାରେ ବର୍ଷକେ ଥରେ ମା ମୃଣ୍ମୟ ମୂର୍ତ୍ତିରେ ପୂଜା ପାଇଥାନ୍ତି । ଏହି ରୂପରେ ଶିବଙ୍କ ଉପରେ ନୃତ୍ୟରତା ମାଆଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।

ତେବେ ଚଳିତବର୍ଷ କାଳୀ ପୂଜା ଅବସରରେ ରାତ୍ର ୧୦ ଟା ସମୟରେ ମା’ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୀଠରେ ବିରାଜମାନ ହୋଇଥିଲା । ରାତ୍ର ୧୧ ଟା ସମୟରେ ଘଟ ପ୍ରତିଷ୍ଠା ପରେ ରାତ୍ର ୧୨ ଟାରେ ପୂଜା ରୀତିନୀତି ଆରମ୍ଭ ହୋଇଥିଲା । ପୂଜାରେ ବିଧି ଅନୁସାରେ ପ୍ରଥମେ ଆଖୁ ବଳୀ ତାପରେ ପାଣିକଖାରୁ ବଳୀ ଏବଂ ଶେଷରେ ଛାଗ ବଳୀ ଦିଆଯାଇଥିଲା ।

ମାଆଙ୍କର ବଡ଼ସିଂହାର ଧୂପରେ ମାଟି ହାଣ୍ଡିରେ ପ୍ରସ୍ତୁତ କୋଠ ଭୋଗ ଖେଚୁଡ଼ି, ଡାଲି, ମାଛ ବେସର, ଖଟା, ଖିରି, ବିରି ପିଠା ମା’ ଙ୍କୁ ଭୋଗ ପରେ ପହଡ଼ ପଡ଼ିଥିଲା । ସ୍ଵଳ୍ପ ସମୟ ପରେ ପହଡ଼ ଫିଟାଯାଇ ମୂର୍ତ୍ତିଙ୍କୁ ପଣା ଭୋଗ ପରେ ଘଟ ବିସର୍ଜନ କରାଯାଇଥିଲା । କିନ୍ତୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମୃଣ୍ମୟୀ ମୂର୍ତ୍ତି କାଳୀ ପୂଜାର ପର ଦିନ ଅର୍ଥାତ ଆଜି ରାତ୍ରୀ ଯାଏଁ ରହି ରାତିରେ ତିନି ଭଉଣୀଙ୍କୁ ଏକାଠି କରାଯାଇ ଭାର୍ଗବୀ ନଦୀରେ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି କାଳୀପୂଜାରେ ମୃଣ୍ମୟୀ ମୂର୍ତ୍ତିର ଦର୍ଶନ ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୩ ଜଣ ଇନ୍ସପେକ୍ଟର, ଜଣେ ଏସଡିପିଓ ଏବଂ ଜଣେ ଆଡ଼ିସନାଲ ଏସପି ଦାୟିତ୍ୱରେ ଅଛନ୍ତି । ସତ୍ୟବାଦୀ ତହସିଲଦାର ମଧ୍ୟ ସମସ୍ତ କାର୍ଯ୍ୟ କିପରି ସଠିକ ଭାବରେ ସମ୍ପାଦନା ହେବ ଏହା ଉପରେ କଡା ନଜର ରଖିଛନ୍ତି ।

Comments are closed.