Latest Odisha News

BREAKING NEWS

କାଳିଆ ସ୍କଲାରସିପ୍ ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଶୁକ୍ରବାର ଦିନ କାଳିଆ ସ୍କଲାରସିପ୍ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କାଳିଆ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ଓଡ଼ିଶାର କୃଷକ ପରିବାରରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ସ୍କଲାରସିପ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇଦେବାର ଆଭିମୁଖ୍ୟ ରଖି ଉଚ୍ଚତର ଶିକ୍ଷା ପ୍ରାପ୍ତ ଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେଇଛନ୍ତି ।

ଏହି ଯୋଜନା ମାଧ୍ୟମରେ ରାଜ୍ୟର କୃଷକମାନେ କେବଳ ଯେ, ଆର୍ଥିକ ସହାୟତା ପାଇବେ ତାହା ନୁହେଁ, ଚାଷୀ ପରିବାରରେ ମେଧାବୀ ଛାତ୍ରଛାତୀ ମାନେ ଉଚ୍ଚତର ଶିକ୍ଷା ଲାଭରୁ ବଞ୍ଚିତ ନହୋଇ ଅଧ୍ୟୟନ କରିପାରିବେ ।

ଏହି କାଳିଆ ଯୋଜନାରେ ପ୍ରାୟ ୩୦.୨ ଲକ୍ଷ ପରିବାର ଅନ୍ତଭୃକ୍ତ ହୋଇଛନ୍ତି ।

ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡ଼ାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ । ଏଠାରେ ସୂଚନାଯୋଗ୍ୟ, କାଳିଆ ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ପ୍ରଥମ ପର‌୍ୟ୍ୟାୟରେ ୫,୦୦୦ ଟଙ୍କା ଲେଖାଏଁ ପାଇଛନ୍ତି । ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ କାଳିଆ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି ।

ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ଚାଷୀ ପରିବାରର ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ୱେବ୍ ପୋର୍ଟାଲ୍  kalia.co.in/scholarship/ ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଯୋଜନାରେ ସାମିଲ୍ ହୋଇପାରିବେ ।

କାଳିଆ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ଚାଷୀଙ୍କ ମେଧାବୀ ସନ୍ତାନସନ୍ତତି ମାନେ ବିଭିନ୍ନ ପେଶାଦାର ତଥା ବୈଷୟିକ ଶିକ୍ଷା ଗ୍ରହଣ କରିପାରିବେ । ଯଥା ଏମବିିବିଏସ, ବିଡ଼ିଏସ, ବିଏଚଏମଏସ, ବିଏଏମଏସ, ବିଫାର୍ମା, ବିଏସସି ନର୍ସିଂ, ପିବିବିଏସସି, ବିଏସସି ଏଗ୍ରିକଲଚର, ବିଭିଏସସି ଏଣ୍ଡ ଏଏଚ, ବିଏସସି ହର୍ଟିକଲଚର, ବିଏସସି ଫରେଷ୍ଟ୍ରି, ବିଏସସି ଫିସରିଜ୍ ସାଇନ୍ସ, ବିଏସସି କମ୍ୟୁନିଟି ସାଇନ୍ସ, ବିଟେକ ଏଗ୍ରି ଇଞ୍ଜିନିୟରିଂ, ବିଟେକ/ବିଇ ଲାଗି ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କୃଷକ ପରିବାର ସନ୍ତାନସନ୍ତତିମାନେ ଉପକୃତ ହୋଇପାରିବେ ।

ସେହିପରି ଡ଼ିପ୍ଲୋମା କୋର୍ସ ମଧ୍ୟରେ ଡ଼ି ଫାର୍ମା, ଡ଼ିଏମଏଲଟି, ଡ଼ିଏମଆରଟି, ଓରଥାଲମିକ ଆସିଷ୍ଟାଣ୍ଟ/ସର୍ଜିକାଲ ଓଥୋ ଆସିଷ୍ଟାଣ୍ଟ, ଜିଏନଏମ, ଏଏନଏମ, ସାଇକ୍ରିଆଟିକ ନର୍ସିଂ, ପଲିଟେକନିକ ଏଣ୍ଡ ଏଗ୍ରି ପଲିଟେକନିକ ସରକାରୀ ଅନୁଷ୍ଠାନରେ ଆଡ଼ମିସନ ସମୟରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ଯୋଜନାରେ ବିଭିନ୍ନ ଆଇଟିଆଇ କୋର୍ସ ଗୁଡ଼ିକ ମଧ୍ୟ ଅନ୍ତଭୃକ୍ତ ହୋଇପାରିବ ।

ଛାତ୍ରଛାତ୍ରୀମାନେ ଟ୍ୟୁସନ ଫି, ବାର୍ଷିକ କଲେଜ ଫି, ଏକକାଳୀନ କଲେଜ ଫି, ହଷ୍ଟେଲ ଚାର୍ଜ, ମେସ ଫି ପରି ସୁବିଧା ପାଇପାରିବେ । ମେଧାକୁ ଭିତ୍ତି କରି ଶିକ୍ଷାନୁଷ୍ଠାନରେ ଏହିସବୁ ସୁବିଧା ହାସଲ କରିପାରିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.