Latest Odisha News

BREAKING NEWS

ସିନେମା ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ‘ବାୟୋପିକ୍’ର ଋତୁ…

ଭୁବନେଶ୍ୱର: ନିକଟ ଅତୀତରେ ଏବେ ସିନେମା ଇଣ୍ଡଷ୍ଟ୍ରୀରେ କିଛି ପ୍ରେରଣାଦାୟକ ତଥା ପ୍ରକୃତ ଜୀବନର କାହାଣୀକୁ ନେଇ ନିର୍ମିତ ହୋଇଛି ଅନେକ ଗୁଡ଼ିଏ ଫିଲ୍ମ । ବଡ଼ ପରଦାରେ ଜୀବିତ ହୁଅନ୍ତୁ ଅବା ଇହଜଗତରେ ନଥିବା କିଛି ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ପ୍ରଦର୍ଶିତ ହୋଇଛି ଅନେକ ବାୟୋପିକ । ସେଥିମଧ୍ୟରେ ଅନେକ ବାୟୋପିକ ବେଶ୍ ସଫଳ ହୋଇଛି ମଧ୍ୟ ।

ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ଜୀବନୀକୁ ନେଇ ବାୟୋପିକ୍ ‘ଦି ଆକ୍ସିଡ଼େଣ୍ଟାଲ୍ ପ୍ରାଇମ ମିନିଷ୍ଟର’ ଏବଂ ପ୍ରଖ୍ୟାତ ରାଜନେତା ବାଲ୍ ଠାକରେଙ୍କ ଜୀବନାଦର୍ଶକୁ ନେଇ ରିଲିଜ୍ ହୋଇଥିଲା ଫିଲ୍ମ ‘ଠାକରେ’ । ଏପରିକି ଏବେ ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କୁ ନେଇ ଫିଲ୍ମ ନିର୍ମିତ ହେଉଥିବା ଖବରର ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି ।

ଏହି ପରିପ୍ରେକ୍ଷୀରେ ବଲିଉଡ଼ର ପଦାଙ୍କ ଅନୁସରଣ କରିଛି ଓଲିଉଡ଼ । ଦେଖିବାକୁ ଗଲେ ଓଡ଼ିଆ ସିନେମାର ପ୍ରଥମ ବାୟୋପିକ ‘ତୁଳସୀ ଅପା’ ନିର୍ମିତ ହୋଇଥିଲା ୨୦୧୭ ମସିହାରେ । କେନ୍ଦୁଝରର ପ୍ରଖ୍ୟାତ ଆଦିବାସୀ ସମାଜସେବୀ ତୁଳସୀ ମୁଣ୍ଡାଙ୍କ ଜୀବନାଦର୍ଶକୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି । ୧୯୬୪ ମସିହାରେ ମାଇନ୍ସରେ କାମ କରୁଥିବା ଜଣେ ମହିଳା ଶ୍ରମିକଟିଏ କିପରି ସନ୍ଧ୍ୟା ବେଳେ ଅବହେଳିତ ଶିଶୁ ମାନଙ୍କୁ ପାଠ ପଢାଇ ସାକ୍ଷର କରୁଛନ୍ତି ସେହି କଥା ଏହି ଫିଲ୍ମଟିରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି । ଫିଲ୍ମଟିରେ ସେ କିପରି ମୁଢି ଓ ପରିବା ବିକ୍ରି କରି ସେହି ବିଦ୍ୟାଳୟଟିକୁ ଚଳାଇଛନ୍ତି ତାହା ଏଥିରେ ବେଶ୍ ସୁନ୍ଦର ଭାବେ ଅଭିନୀତ ହୋଇଛି । ଆଜି ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରମାନେ ମଧ୍ୟ ଅଧ୍ୟୟନ କରୁଛନ୍ତି ।

ପ୍ରଖ୍ୟାତ ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପୁରସ୍କୃତ ହେବା ସହିତ ଅନେକ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛି ।

ସେହିପରି ଏକ ପୋଷ୍ଟରରେ ବଲିଉଡ଼ ସୁପରଷ୍ଟାର୍ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଫଟୋରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋକୁ ନେଇ ପୁଣି ଏକ ବାୟୋପିକ୍ ର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଆ ଚଳଚ୍ଚିତ୍ରପ୍ରେମୀ ଅନୁମାନ କରୁଛନ୍ତି ହୁଏତ ବିଜୁ ବାବୁଙ୍କୁ ନେଇ ଏକ ବାୟୋପିକ୍ ନିର୍ମିତ ହେଉଛି ।

ଏହି ଚଳଚ୍ଚିତ୍ରଟି ଆଗାମୀ ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ରିଲିଜ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବଲିଉଡ଼ର ସଫଳ ଓଡ଼ିଆ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ସୂଚନା ଦେଇ କହିଛନ୍ତି ।

ଏକ ଦଶନ୍ଧୀ ପୂର୍ବରୁ ବାୟୋପିକ୍ ବଲିଉଡ଼ରେ ବେଶ୍ ଲୋକପ୍ରିୟ ହୋଇପାରିବା ସହିତ ଦର୍ଶକଙ୍କୁ ସହଜରେ ଛୁଇଁ ପାରୁଛି । ୨୦୧୨ ମସିହାରେ ରିଲିଜ୍ ହୋଇଥିଲା ‘ପାନ ସିଂହ ତୋମାର୍’ । ତେବେ ତାହା ପୂର୍ବରୁ ମଙ୍ଗଳ ପାଣ୍ଡେ ୨୦୧୨ ମସିହାରେ ଏବଂ ଦି ଲିଜେଣ୍ଡ ଅଫ ଭଗତ ସିଂହ ୨୦୦୨ ମସିହାରେ ରିଲିଜ୍ ହୋଇଥିବା ଦୈନିକ ଦି ପାୟୋନିୟରରେ ପ୍ରକାଶିତ ହୋଇଛି ।

କିଛିବର୍ଷ ପୂର୍ବରୁ ବଲିଉଡ଼ରେ ମଣିରତ୍ନମଙ୍କ ଫିଲ୍ମ ଗୁରୁ ୨୦୦୭ ରେ ରିଲିଜ ହୋଇ ପ୍ରଶଂସିତ ହୋଇଥିଲା । ଏହା ଧୀରୁ ଭାଇ ଅମ୍ବାନୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ।

କିନ୍ତୁ ନିକଟ ଅତୀତରେ ଅନେକ ଗୁଡ଼ିଏ ହିନ୍ଦୀ ସିନେମା ପ୍ରସିଦ୍ଧ କ୍ରୀଡ଼ାବିତ ଏବଂ ରାଜନେତାଙ୍କ ଜୀବନୀକୁ ନେଇ ମଧ୍ୟ ନିର୍ମିତ ହୋଇଛି । ସହିଦ ଆଜମୀଙ୍କ ଜୀବନାଦର୍ଶକୁ ନେଇ ସହିଦ (୨୦୧୩), ଭାଗ୍ ମିଲଖା ଭାଗ୍ (୨୦୧୩), ମେରି କମ (୨୦୧୪), ମାନଝୀ ଦ ମାଉଣ୍ଟେନମ୍ୟାନ (୨୦୧୫), ଦଙ୍ଗଲ (୨୦୧୬), ଏମ ଏସ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀ (୨୦୧୬), ସଚିନ: ଏ ବିଲିୟନ ଡ୍ରିମ୍ସ (୨୦୧୭), ଅରୁଣାଚଳମ ମୁରୁଗାନାଥନମଙ୍କ ଜୀବନୀକୁ ନେଇ ପ୍ୟାଡ଼ ମ୍ୟାନ (୨୦୧୮) ନିର୍ମିତ ହୋଇଛି ।

ଏବେ ଭାରତର କିଛି ଜନପ୍ରିୟ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ନେଇ ମଧ୍ୟ ଅନେକ ବାୟୋପିକ୍ ନିର୍ମିତ ହୋଇଛି । ଯେପରିକି ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଏପ୍ରିଲରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ମାଇଁ ନେମ୍ ଇଜ୍ ରାଗା’ । ଆହୁରିମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବାୟୋପିକ୍ ର ଅଫିସିଆଲ ଫିଲ୍ମ ପୋଷ୍ଟର ରିଲିଜ୍ କରିଛନ୍ତି ।

ତେବେ ବଲିଉଡ଼ରେ ମନୋରଞ୍ଜନ ଲାଗି ନିର୍ମିତ ହେଉ କି ପ୍ରଚାର ଲାଗି ବାୟୋପିକ୍ ଫିଲ୍ମ କିନ୍ତୁ ଏହିପରି ନିର୍ମାଣ ହେବ ଏବଂ ଦର୍ଶକମାନେ ପୂର୍ବପରି ପସନ୍ଦ କରୁଥିବେ ।

Leave A Reply

Your email address will not be published.