Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
ଭୁବନେଶ୍ୱର: ବିଜେଡିର ଗୁରୁଦାୟିତ୍ଵ ତୁଲାଇବେ କି କଳିକେଶ?
ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଲେ
କାହିଁକି ଅଚାନକ କଳିକେଶକୁ ଡାକରା?
ନବୀନଙ୍କ ସହ କଲେ କି ଆଲୋଚନା?
ପୁଣି ବିଜେଡିରେ ଉତ୍ତରାଧିକାରୀ ଝଡ଼ ମୁଣ୍ଡ ଟେକିଛି। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦାବି ପରେ ତେଜିଛି ଆଲୋଚନା। ଏହାରି ଭିତରେ ଶନିବାର ନବୀନ ନିବାସରେ ପାଦ ରଖିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ। ଯାହା ଚର୍ଚ୍ଚାକୁ ଏବେ ଅଧିକ ଇନ୍ଧନ ଦେଇଛି। ହଠାତ୍ କାହିଁକି ନବୀନ ନିବାସରେ ପହଞ୍ଚିଲେ କଳିକେଶ? ତାଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯୁବନେତା ଭାବେ କଳିକେଶ ଦଳର ନେତୃତ୍ବ ନେବାକୁ ସକ୍ଷମ ବୋଲି ପୂର୍ବରୁ ଦାବି ହୋଇଛି । ଆଉ ଏବେ ସମାନ ସମୟରେ ନବୀନ ନିବାସରୁ କଳିକେଶଙ୍କୁ ଡାକରା ଆସିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଅପରପକ୍ଷେ ଏଭଳି ସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି ଜଣେ ଦଳୀୟ ନେତା ଓ ବିଧାୟକ ହିସାବରେ ସୁପ୍ରିମୋଙ୍କୁ ଦେଖା କରିବାରେ ସମସ୍ତଙ୍କ ଅଧିକାର ଅଛି। ଏଥିରେ କାହାର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି ।
ନିଜେ ମଧ୍ୟ ନବୀନଙ୍କୁ ଭେଟିବା ପରେ ମଧ୍ୟ ସମାନ କଥା ଦୋହରାଇଛନ୍ତି ବିଧାୟକ। କଳିକେଶ କହିଛନ୍ତି ମୁଁ ଅନେକ ଦିନ ହେବ ସୁପ୍ରିମୋଙ୍କୁ ଭେଟିନଥିଲି। ମହିଳା ଓ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଆସିଥିଲି । କିନ୍ତୁ ଏହାରି ଭିତରେ କଳିକେଶ ଏହା ବି ଦୋହରାଇଥିଲେ ଯେ ଯାହା ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ବ ଦେବେ ସେ ତାହା ସୁଚାରୁ ରୂପେ ତୁଲାଇବେ। ଯାହା ପଶ୍ଚିମ ଓଡିଶା ପାଇଁ ତାଙ୍କର ଗୁରୁଦାୟିତ୍ଵ ଚର୍ଚ୍ଚାକୁ ବଜାୟ ରଖିଛି।
ତେବେ କହିରଖୁଛୁ, ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ବ ଦେବା ସପକ୍ଷରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ବାଢ଼ିବା ପରେ ବିଜେଡିରେ ପୁଣି ଆଲୋଡନ ସୃଷ୍ଟି ହୋଇଛି। ଏହି ନିକଟରେ ବିଧାୟକ ଦିବ୍ୟଶଙ୍କର କହିଥିଲେ, କଳିକେଶ ରାଜ୍ୟର ନେତୃତ୍ବ ନିଅନ୍ତୁ। ତାଙ୍କୁ ଦାୟିତ୍ବ ଦେଲେ ଭଲ ହେବ। ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମିତି ଆଗାମୀ ଦିନରେ ଆମେ କଳିକେଶଙ୍କୁ ନେତା କରି ଠିଆ କରିବା, ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। କଳିକେଶଙ୍କ ପାଖରେ ଯୋଗ୍ୟତା ଏବଂ ଦକ୍ଷତା ଅଛି। ଓଡ଼ିଶା ନେତୃତ୍ବ ନେବାକୁ ସେ ସକ୍ଷମ। ଯାହାକୁ ନେଇ ଦଳରେ ବିରୋଧର ସ୍ୱର ମଧ୍ୟ ତେଜିଥିଲା। କଳିକେଶଙ୍କୁ ନେତୃତ୍ବ ଦେବା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କୁ ଯୁକ୍ତିକୁ ବିରୋଧ କରିଥିଲେ ବିଧାୟକ ଅରୁଣ ସାହୁ ଓ ଗଣେଶ୍ବର ବେହେରା। ବିଜେଡିର ଉତ୍ତରାଧିକାରୀ କିଏ ହେବ, ନବୀନ ନିଷ୍ପତ୍ତି ନେବେ। ଆମ ସଭାପତି ସଫଳ, ସକ୍ଷମ। ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ ବୋଲି ସେ ପ୍ରଶ୍ନ କରିଥିଲେ। ଯାହାପରେ ଦିବ୍ୟଶଙ୍କର ନିଜ ବୟାନ ବଦଳାଇଥିଲେ।