ଭୁବନେଶ୍ବର:ବାତ୍ୟା ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା। ସମ୍ଭାବ୍ୟ ବାତ୍ୟା ଅକଭାନ୍ କୁ ନେଇ କନ୍ଧମାଳ ଜିଲ୍ଲାରେ ଆଗୁଆ ସତର୍କ ହୋଇଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ କନ୍ଧମାଳର କଳିଙ୍ଗା ଓ ଦାରିଙ୍ଗିବାଡ଼ି ଘାଟି ରାସ୍ତା ସିଲ୍ କରାଯାଇଛି। ଗାଜଲବାଡ଼ି ନିକଟରେ ବ୍ୟାରିକେଟ୍ କରି ଦାରିଙ୍ଗିବାଡ଼ି ରାସ୍ତା ସିଲ୍ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୨ ଘାଟି ରାସ୍ତାକୁ ସିଲ୍ କରିଛି ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ନିଆଯାଇଛି। ଘାଟିରେ ଭୂସ୍ଖଳନ ଓ ଗଛ ଭାଙ୍ଗିବା ଆଶଙ୍କାରେ ରାସ୍ତା ସିଲ୍ କରାଯାଇଛି।
ବାତ୍ୟା ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ରହିଛନ୍ତି ।ଏଥିସହ ୧୨ଟି ବ୍ଲକରେ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ସଜାଗ ରହିଛନ୍ତି । ବିଭିନ୍ନ ରିଲିଫ୍ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ଯୋଗାଯୋଗ ବିଚ୍ଛିନ୍ନ ହେଲେ ଆବଶ୍ୟକ ସ୍ଥଳେ ହେଲିକପ୍ଟର ଯୋଗେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ ଯୋଜନା ହୋଇଛି ।
ସେହିପରି ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ରାତ୍ରୀଯାପନ ବୁକିଂକୁ ବାତିଲ୍ କଲେ ରାଜନଗର ଡିଏଫଓ। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ଜରୁରୀ ପଦକ୍ଷେପ ନିଆଯାଇଛି।
ସୂଚନାଥାଉକି.ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । କନ୍ଧମାଳ ଜିଲ୍ଲାର ୮୧ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ରାଇକିଆ, ଦାରିଙ୍ଗବାଡ଼ି ଓ ଚକାପାଦ ଅଞ୍ଚଳ ଉପରେ ରହିଛି ସ୍ୱତନ୍ତ୍ର ନଜର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନେବା ସହ ୧୦୫ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହରେ ରଖାଯାଇଛି ।
ବାତ୍ୟା ପ୍ରସ୍ତୁତିର ସମୀକ୍ଷା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲାପାଳ ବେଦ ଭୂଷଣ ରାଇକିଆ, ଦାରିଙ୍ଗବାଡ଼ି ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଚକାପାଦ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
