କାଠମାଣ୍ଡୁ: ବିଶ୍ୱର ଅଧିକାଂଶ ପର୍ବତାରୋହୀଙ୍କ ସ୍ୱପ୍ନ ହେଉଛି ଅତି କମରେ ଥରେ ଏଭରେଷ୍ଟ ଶିଖରକୁ ଚଢ଼ିବା। କିନ୍ତୁ ନେପାଳର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଥରେ କି ଦୁଇଥର ନୁହେଁ, ବରଂ ୩୧ ଥର ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନେପାଳର ଏଭରେଷ୍ଟ ମ୍ୟାନ୍ ଭାବେ ପରିଚିତ ୫୫ ବର୍ଷୀୟ ପର୍ବତାରୋହୀ ଶେରପା ଗାଇଡ କାମି ରିତା ପୁଣିଥରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି।
ମଙ୍ଗଳବାର ସେ ୮,୮୪୯ ମିଟର ଉଚ୍ଚ ବିଶିଷ୍ଟ ଏଭରେଷ୍ଟର ଶିଖରରେ ୩୧ତମ ଥର ପାଇଁ ଚଢ଼ି ନିଜ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି।
କାମି ରିତା ଲେଫ୍ଟନାଣ୍ଟ କର୍ଣ୍ଣେଲ ମନୋଜ ଜୋଶୀଙ୍କ ନେତୃତ୍ୱରେ ଭାରତୀୟ ସେନାର ଏଭରେଷ୍ଟ ଅଭିଯାନ ଦଳର ନେତୃତ୍ୱ ନେଉଥିଲେ। ସେଭେନ୍ ସମିଟ୍ ଟ୍ରେକ୍ସର ଅଧ୍ୟକ୍ଷ ମିଙ୍ଗମା ଶେରପା କହିଛନ୍ତି: “ଏହି ସଫଳତା କାମି ରିତାଙ୍କୁ ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଶିଖର ଆରୋହଣ କରିବାର ରେକର୍ଡଧାରୀ କରିଛି। ତାଙ୍କ ରେକର୍ଡର ନିକଟତର ମଧ୍ୟ କେହି ହୋଇପାରି ନାହାଁନ୍ତି । କାମି ସୁରକ୍ଷିତ ଅଛନ୍ତି ଏବଂ ଶିଖର ଚଢ଼ିବା ପରେ ଏବେ ବେସ୍ କ୍ୟାମ୍ପକୁ ଫେରୁଛନ୍ତି। ସେଭେନ୍ ସମିଟ୍ ଟ୍ରେକ୍ସର ଅଭିଯାନ ନିର୍ଦ୍ଦେଶକ ଚାଙ୍ଗ୍ ଦାୱା ଶେରପା କହିଛନ୍ତି ଯେ, କାମିଙ୍କର ଛୋଟ ବୟସରୁ ପର୍ବତ ଚଢ଼ିବା ପାଇଁ ଆଗ୍ରହ ଥିଲା।
ତାଙ୍କର ପର୍ବତାରୋହଣ ଯାତ୍ରା ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଜଣେ ସହାୟକ କର୍ମଚାରୀ ଭାବରେ ଏଭରେଷ୍ଟ ଆରୋହଣ ଅଭିଯାନରେ ଯୋଗ ଦେଇଥିଲେ। ୧୯୯୪ ରୁ ୨୦୨୫ ମଧ୍ୟରେ, କାମି ଥରେ K2 ଏବଂ ଲହୋତସେ ପର୍ବତ ଶିଖରକୁ, ତିନିଥର ମନସ୍ଲୁ ପର୍ବତ ଏବଂ ଆଠଥର ଚୋ ଓୟୁ ପର୍ବତ ଶିଖରକୁ ଚଢ଼ିଛନ୍ତି। ଗତ ୨ ବର୍ଷ ମଧ୍ୟରେ, କାମି ପ୍ରତ୍ୟେକ ସିଜନରେ ଦୁଇ ଦୁଇଥର ଏଭରେଷ୍ଟ ଚଢ଼ିଛନ୍ତି, ତାଙ୍କର ମୋଟ ଚଢ଼ିବା ସଂଖ୍ୟା ୩୦ ରେ ପହଞ୍ଚିଥିଲା। ଏଥର ସେ ତାଙ୍କର ୩୧ଥର ପାଇଁ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି।
ଅନେକ ଶେରପା ପର୍ବତାରୋହୀଙ୍କ ପରି, ସେ ଅନ୍ତର୍ଜାତୀୟ ଟ୍ୟୁରିଷ୍ଟଙ୍କ ପାଇଁ ଜଣେ ଗାଇଡ ଭାବରେ କାର୍ଯ୍ୟ କରନ୍ତି । ୮,୮୪୯ ମିଟର ଶିଖରରେ ଚଢିବା ପାଇଁ ସେମାନଙ୍କୁ ଗାଇଡ କରିଥାନ୍ତି ।
ପ୍ରତିବର୍ଷ ଶହ ଶହ ପର୍ବତାରୋହୀ ନେପାଳରୁ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରନ୍ତି। ପ୍ରତିବର୍ଷ ମେ ୨୯ ତାରିଖରେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳନ କରାଯାଏ। କାରଣ ୧୯୫୩ ମସିହାରେ ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହିଲାରୀ ଏବଂ ନେପାଳୀ ଶେରପା ତେନଜିଂ ନୋର୍ଗେ ପ୍ରଥମ ଥର ପାଇଁ ଏଭରେଷ୍ଟ ଚଢ଼ିଥିଲେ। ପ୍ରଥମ ଥର ପାଇଁ ଏଭରେଷ୍ଟ ଆରୋହଣକୁ ମନେ ପକାଇବା ପାଇଁ ଏହି ଦିନକୁ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ଭାବେ ପାଳନ କରାଯାଏ ।
Comments are closed.