Latest Odisha News

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି କାମିନୀ ଏକାଦଶୀ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆୟୁଧ ସୁଦର୍ଶନ ଚକ୍ରଙ୍କୁ ନଗର ପରିକ୍ରମା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଭଣ୍ଡାରମେକାପ ଭଣ୍ଡାରଘରୁ ମହାପ୍ରଭୁ ଦକ୍ଷିଣ ହସ୍ତ ରେ ଧରି ଥିବା ଚକ୍ର ନାରାୟଣକୁ ଆଣି ଦଇତାପତି ସେବକଙ୍କୁ ପ୍ରଦାନ କରିଥାନ୍ତି ।

ପରେ ମୁକ୍ତିମଣ୍ଡପ ନିକଟରେ ଥିବା ବିମାନରେ ଚକ୍ରନାରାୟଣଙ୍କ ରୁନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ ଘଣ୍ଟ, ଛତା, କାହାଳୀ ସହ ବିମାନବଡୁ ସେବକମାନେ ଚକ୍ରନାରାୟଣଙ୍କୁ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ସହ ନଗର ପରିକ୍ରମା କରିଥାନ୍ତି। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ବେଳେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ ।

ଏହି ଅଧର ପଣାକୁ ଭୂତ, ପ୍ରେତ ପିଶାଚ ଏବଂ ଅଶରୀର ଆତ୍ମାମାନଙ୍କ ନିମନ୍ତେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇ ରଥ ଉପରେ ଭଙ୍ଗା ଯାଇଥାଏ । ତେଣୁ ଏହି ଭୂତ, ପିଶାଚମାନଙ୍କୁ ଘଉଡାଇବା ଲାଗି ଆଜି ଶ୍ରୀ ମନ୍ଦିର ରୁ ଚକ୍ର ନାରାୟଣ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି । ଶ୍ରୀକ୍ଷେତ୍ର ଥିବା ଚାରି ଆଶ୍ରମ ତଥା ପଣ୍ଡ, ମାର୍କଣ୍, ଭୃଗୁ ଏବଂ ଅଙ୍ଗିରା ଆଶ୍ରମ ବୁଲିବା ସହ ଶ୍ରୀ କ୍ଷେତ୍ର ପରିକ୍ରମା କରିଥାନ୍ତି ଏହାକୁ ମଧ୍ୟ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ ।

Comments are closed.