Latest Odisha News

BREAKING NEWS

ପ୍ରତ୍ୟୁଷା ଯିବେ କଂଗ୍ରେସ

ଭୁବନେଶ୍ୱର : କନ୍ଧମାଳ ଲୋକସଭା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି । କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଟିକେଟ ମିଳିଥିବା ବେଳେ ପ୍ରତ୍ୟୁଷାଙ୍କ ଟିକେଟ କଟିଥିବାରୁ କ୍ଷୋଭ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି ।

ତେବେ ଇସ୍ତଫା ଦେବା ପରେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ମିଳିଛି । କଂଗ୍ରେସରେ ଯୋଗ ଦେଇ ସେ ନୟାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି ।

କନ୍ଧମାଳ ଟିକେଟ କଟିବା ପରେ ସେ ନୟାଗଡ ଆସନରୁ ବିଜେଡି ଟିକେଟରେ ଲଢ଼ିବା ପାଇଁ ଆଶାୟୀ ଥିଲେ । ତେବେ ତାଙ୍କୁ ଟିକେଟ ମିଳୁନଥିବା ଜାଣିପାରିବା ପରେ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ଗଣମାଧ୍ୟମରେ ମଧ୍ୟ ସେ ନୟାଗଡରୁ ଲଢ଼ିବା ନେଇ ଇଶାରା ଦେଇଥିଲେ । ତେବେ ସେ ବିଜେପି ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ବିଜେପି ପାଇଁ ଆଶାୟୀ ଥିବା ଇରାନୀ ରାୟଙ୍କୁ ଦଳ ନିରାଶ କରିବାକୁ ଚାହୁଁନାହିଁ । ତେଣୁ ପ୍ରତ୍ୟୁଷାଙ୍କ ପାଇଁ ବିଜେପିରେ ସୁଯୋଗ ନାହିଁ ।

ତେଣୁ ଏବେ କଂଗ୍ରେସ ମୁହାଁ ହୋଇଛନ୍ତି ପ୍ରତ୍ୟୁଷା । କଂଗ୍ରେସ ପ୍ରତ୍ୟୁଷାଙ୍କ ପାଇଁ କିଛି ନୂଆ ନୁହେଁ । କଂଗ୍ରେସରେ ଯୋଗଦାନ ତାଙ୍କ ପାଇଁ ଘରବାହୁଡା ସଦୃଶ । କାରଣ ପ୍ରତ୍ୟୁଷାଙ୍କ ସ୍ୱାମୀ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୦୯ ମସିହାରେ କଂଗ୍ରେସ ଟିକେଟରୁ ବଞ୍ଚିତ ହେବା ପରେ ସ୍ୱାଧୀନଭାବେ ଲଢ଼ି ନୟାଗଡରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କୁ କଡା ଟକ୍କର ଦେଇଥିଲେ ହେମେନ୍ଦ୍ର ।

୨୦୦୯ ନିର୍ବାଚନ ପରେ କଂଗ୍ରେସରେ ଯୋଗ ଦେଇ ନୟାଗଡ ଜିଲ୍ଲାସଭାପତି ପଦ ଅଳଙ୍କୃତ କରିଥିଲେ ହେମେନ୍ଦ୍ର । ତେବେ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ହେମେନ୍ଦ୍ର । ଆଉ ୨୦୧୪ ନିର୍ବାଚନରେ ତାଙ୍କୁ କନ୍ଧମାଳ ଲୋକସଭା ଆସନ ଟିକେଟ ମିଳିଥିଲା । କନ୍ଧମାଳରୁ ଲୋକସଭା ଆସନ ଜିତିଥିଲେ ହେମେନ୍ଦ୍ର । ମାତ୍ର ବିଧିର ବିଧାନ କିଛିଟା ଭିନ୍ନ ଥିଲା । ମାତ୍ର ୬ ମାସ ଭିତରେ ହେମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ତେବେ ଚଳିତ ନିର୍ବାଚନରେ ଦଳ ତାଙ୍କର ଟିକେଟ କାଟିଦେଇଛି ।

ଯଦି କଂଗ୍ରେସ ପ୍ରତ୍ୟୁଷାଙ୍କୁ ନୟାଗଡ ବିଧାନସଭା ଆସନର ପ୍ରାର୍ଥୀ କରେ ତେବେ ତାଙ୍କର ଟକ୍କର ବିଜେଡିର ଅରୁଣ ସାହୁ ଏବଂ ବିଜେପିର ଇରାନୀ ରାୟଙ୍କ ସହ ହେବ ବୋଲି ଚର୍ଚ୍ଚା ହେଉଛି । ନୟାଗଡରେ ଦେଖିବାକୁ ମିଳିପାରେ ତ୍ରିମୁଖି ଲଢ଼େଇ ।

Leave A Reply

Your email address will not be published.