Latest Odisha News

ଦ୍ୱନ୍ଦ୍ୱରେ ଧର୍ମେନ୍ଦ୍ର: ଲଢ଼ିବେ ନା ଲଢ଼ିବେନି

ଭୁବନେଶ୍ୱର: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଆଶାୟୀ ଅପେକ୍ଷା କରି ରହିଥିବା ବେଳେ ତୈଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନା ଲଢ଼ିବେନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଚର୍ଚ୍ଚା ହେଉଛି ହୁଏ ତ ଧର୍ମେନ୍ଦ୍ର ଢ଼େଙ୍କାନାଳ ଲୋକସଭା ଆସନ କିମ୍ବା ପାଲଲହଡା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି । ତେବେ ଏ ନେଇ ସେ କିମ୍ବା ତାଙ୍କ ଦଳ ମୁହଁ ଖୋଲୁ ନାହାନ୍ତି ।
ରାଜ୍ୟ ବିଜେପିର ପୋଷ୍ଟର ବଏ ତଥା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ହୁଏତ ନିର୍ବାଚନ ଲଢ଼ି ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତମାନ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ପୂର୍ବରୁ ସେ ବିହାର ରୁ ରାଜ୍ୟସଭା ଯାଇଥିଲେ । ଯଦି ସେ ଚଳିତ ନିର୍ବାଚନରେ ନ ଲଢ଼ନ୍ତି ତେବେ ଏଭଳି ଏକ ସଙ୍କେତ ଯାଇପାରେ ଯେ ହୁଏ ତ ସେ ଜାଣିସାରିଛନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାର ଶକ୍ତିଶାଳୀ ଦଳ ତେଣୁ ସେ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି । ତାଙ୍କର ହାର ତାଙ୍କର ରାଜନୈତିକ କ୍ୟାରିୟର ପ୍ରତି ମଧ୍ୟ ଶକ୍ତ ଧକା ହେବ । ତେଣୁ ଏଭଳି ରିସ୍କ ନେବାକୁ ସେ ଚାହୁଁ ନାହାନ୍ତି ବୋଲି ନିଜ ନାମକୁ ଗୋପନ ରଖି ବିଜେପିର ଜଣେ ସଦସ୍ୟ ଏହା କହିଛନ୍ତି ।

ଏପରିକି ଲୋକ ସଭା ନିର୍ବାଚନ ଲଢ଼ିବେ ନା ବିଧାନସଭା ନିର୍ବାଚନରେ ଲଢ଼ିବେ । ଏଭଳି ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ନିଶ୍ଚିତ ଭାବରେ କେନ୍ଦ୍ର କ୍ୟାବିନେଟ୍ରେ ନିଜ ସ୍ଥାନ ଅକ୍ତିଆର କରିବାକୁ ଚାହିଁବେ । ତେଣୁ ତାଙ୍କର ଲୋକସଭା ଆସନ ଉପରେ ନଜର ରଖିବାର ଅନେକ କାରଣ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ଚାହୁଁଥିବା ସହ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଧର୍ମେନ୍ଦ୍ର ବିଧାନସଭା ଆସନ ଉପରେ ନଜର ରଖିବା ସ୍ୱାଭାବିକ । ତେବେ ଯାହା ହେଉ ନା କାହିଁକି ଏ ଦୁଇଟି ରାସ୍ତା ମଧ୍ୟରୁ ଗୋଟିଏ କୁ ତାଙ୍କୁ ବାଛିବାକୁ ହେବ । ଯଦି ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ପ୍ରୋଜେକ୍ଟ କରିବାକୁ ଚାହୁଁଛନ୍ତି ତେବେ ସେ ରାଜ୍ୟ ବିଧାନସଭାରେ ପ୍ରବେଶ କରିବା ଉଚିତ୍ ବୋଲି ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି ।

ତେବେ ସେ କ’ଣ ଏଭଳି ରିସ୍କ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଏବ ବିଜେପୁର ଦୁଇ ଦୁଇଟି ବିଧାନସଭା ଆସନରୁ ନିଜର ପ୍ରାର୍ଥୀତ୍ୱ ନେଇ ଘୋଷଣା କରିସାରିଥିବା ବେଳେ ଏବେ ସମସ୍ତଙ୍କ ନଜର ଧର୍ମେନ୍ଦ୍ରଙ୍କ ଉପରେ ।

ଯଦିଓ ଧର୍ମେନ୍ଦ୍ର ନିଜ କାର୍ଡ ଖୋଲୁନାହାନ୍ତି ତେବେ ବିଜେପିର କିଛି ବରିଷ୍ଠ ନେତା ଚାହୁଁଛନ୍ତି ସେ ନିର୍ବାଚନ ଲଢ଼ନ୍ତୁ । ସେପଟେ ଧର୍ମେନ୍ଦ୍ରଙ୍କ ନିକଟତର କିଛି ବିଜେପି ସଦସ୍ୟଙ୍କର ଯୁକ୍ତି ହେଲା ଯଦି ସେ ନିର୍ବାଚନ ଲଢ଼ନ୍ତି ତେବେ ତାଙ୍କୁ ଗୋଟିଏ ଆସନ ଉପରେ ଫୋକସ୍ କରିବାକୁ ପଡ଼ିବ । ସେ ରାଜ୍ୟରେ ଦଳ ପାଇଁ ପ୍ରଚାର କରିପାରିବେ ନାହିଁ । ତେଣୁ ନିଜେ ନ ଲଢ଼ି ଦଳ ଅଧିକ ସିଟ୍ ହାସଲ କରୁ ସେ ଚାହୁଁଥିବା ଜଣେ ବିଜେପି ନେତା କହିଛନ୍ତି ।

ତେବେ ସେ ଯାହା ବି ନିଷ୍ପତି ନିଅନ୍ତୁ ନା କାହିଁକି ତାଙ୍କୁ ଅନେକ ପ୍ରଶ୍ନ ଘେରର ସାମ୍ନା କରିବାକୁ ପଡ଼ିବ ।

Leave A Reply

Your email address will not be published.