ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି ବୁଝିପାରିବ ତାଙ୍କର ଜନ୍ମମାଟି ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ରହିଛି । ତାଙ୍କ ଭାଇଭଉଣୀ କି ବାପାଙ୍କ ନାମ ବି ମନେ ରଖିନାହାଁନ୍ତି ମାମିନା । କିନ୍ତୁ ତାଙ୍କ ଅସଲି ପରିବାରକୁ ଖୋଜି ଖୋଜି ଶେଷରେ ଆସି ପହଁଚିଛନ୍ତି କନ୍ଧମାଳରେ । ଜନ୍ମର ଦୁଇ ବର୍ଷ ପରେ ସେ ଭୁବନେଶ୍ବରରୁ 7500 କିଲୋମିଟର ଦୂର ବେଲଜିୟମ ଚାଲିଯାଇଥିବା ବେଳେ ଏବେ କିନ୍ତୁ ନିଜର ଠିକଣା ପାଇଛନ୍ତି ଏତେ ବର୍ଷ ପରେ ।
ଏହା ଏକ କାହାଣି ଭଳି ଲାଗୁଛି କିନ୍ତୁ ସତ କଥା । ବେଲଜିୟମରୁ ଠିକଣା ଖୋଜି ଶେଷରେ କନ୍ଧମାଳ ପହଞ୍ଚିବା ଛୋଟ କଥା ନୁହେଁ । ମାମିନାଙ୍କ ଜନ୍ମର ୩ ମାସ ପରେ ତାଙ୍କ ମାଆ ମରିଯିବାରୁ ଆଶ୍ରମ ହଷ୍ଟେଲରେ ଛାଡିଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବେଲଜିୟମର ବିଦେଶୀ ଦମ୍ପତ୍ତି । ଆଉ ତାପରେ କୁନି ମାମିନା ବାପା, ମାଆ, ଭାଇ, ଭଉଣୀ, ନିଜ ଗାଁ ଠିକଣା ଭୁଲିଯାଇଥିଲେ । ବେଲଜିୟମର ପାଣିପବନରେ ସେ ନିଜକୁ ଭାବିନେଇଥିଲେ ଅନ୍ୟ କିଛି ।
ହେଲେ କୁହାଯାଏ ରକ୍ତର ସଂପର୍କ , ହୃଦୟର ସଂପର୍କ ଭୁଲିହୁଏନାହିଁ । କିନ୍ତୁ ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ନିଜ ପରିବାରକୁ ଜାଣିନଥିଲେ କି ପ୍ରିୟଜନଙ୍କୁ ଚିହ୍ନିନଥିଲେ ମଧ୍ୟ ମନେ ମନେ ସେ ଖୋଜୁଥିଲେ ତାଙ୍କ ରକ୍ତ ସଂପର୍କକୁ । ଆଉ ଏତେ ବର୍ଷ ପରେ ଯେତେବେଳେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସି ଜନ୍ମମାଟିରେ ପାଦ ଥାପିଲେ, ସେତେବେଳେ ଜାଣିଲେ ସେ ପ୍ରକୃତରେ କିଏ ? ତାଙ୍କ ପରିଚୟ କଣ? ତାଙ୍କ ଜନ୍ମମାଟି କେଉଁଠି ।
ଏମିତି କିଛି ଆଶ୍ଚର୍ଯ୍ୟ, ଚକିତ ଆଉ ମନକୁ ଦୋହଲାଇଦେବା ଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ । ନିଜ ସ୍ୱାମୀଙ୍କ ସହ ସୁଦୂର ବେଲଜିଅମ୍ରୁ ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁଜାପଙ୍ଗା ଗାଁକୁ ଛୁଟି ଆସିଛନ୍ତି ଏଇ ମାଟିର ଝିଅ ମାମିନା । ଆଉ ଏତେ ବର୍ଷ ପରେ ନିଜ ଲୋକଙ୍କୁ ପାଖରେ ପାଇ ଖୁସିରେ ସେ ଆତ୍ମହରା ଆଉ ବିଭୋର ହୋଇଉଠିଛନ୍ତି ।
କନ୍ଧମାଳ ରାଇକିଆର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ମାମିନା ବେଲଜିଅମ୍ ଗଲେ କେମିତି ? ଏ ପ୍ରଶ୍ନର ଉତ୍ତର ବି ନିହାତି ହୃଦୟ ବିଦାରକ । ଆଜିକୁ ପ୍ରାୟ ୩୦ ବର୍ଷ ତଳେ ଗୁଜାପଙ୍ଗା ଗାଁର କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ ଜନ୍ମ ନେଇଥିଲେ ମାମିନା । କିନ୍ତୁ ଦୁର୍ଭାଗ୍ୟ, ମାମିନା ଜନ୍ମ ନେବାର ମାତ୍ର ତିନି ମାସ ପରେ ଆଖି ବୁଜିଦେଇଥିଲେ ମାଆ । ପରେ ପରିବାରରେ ଦାରିଦ୍ର୍ୟ ଆଉ ଲାଳନପାଳନରେ କଷ୍ଟ ଅନୁଭବ କରି ବାପା କୃଷ୍ଣଚନ୍ଦ୍ର ଝିଅକୁ ବଞ୍ଚାଇବାକୁ ଯାଇ ଜି. ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ମାମିନାକୁ ଛାଡି ଆସିଥିଲେ । ଆଉ ସେଠୁ ମାମିନାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ ବେଲଜିୟମର ଏକ ଦମ୍ପତ୍ତି ।
ମାତ୍ର ୩ ମାସ ବୟସରୁ ଭିଟାମାଟି ଛାଡ଼ି ବେଲଜିୟମରେ ବଢ଼ିଥିବାରୁ ନିଜ ଅତୀତ ସମ୍ପର୍କରେ ଜାଣିବାର ସୁଯୋଗ ନଥିଲା । ହେଲେ କିଛି ବର୍ଷ ତଳେ କାମ୍ବୋଡ଼ଇାକୁ ବୁଲି ଯିବାବେଳେ, ସେଠାରେ କିଛି ଲୋକ ତାଙ୍କୁ ଆଙ୍ଗ୍ଲୋ ଇଣ୍ଡିଆନ୍ କି ବୋଲି ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନ ହିଁ ତାଙ୍କ ଅତୀତ ଓ ଇତିହାସ ଖୋଜିବାକୁ ଖୋରାକ୍ ଯୋଗାଇଥିଲା ।
ପରେ ପାଳିତ ପିତାମାତାଙ୍କଠୁ ନିଜ ସମ୍ପର୍କରେ ବାରମ୍ବାର ପଚାରି ବୁଝିଥିଲେ । ସେମାନେ ମଧ୍ୟ ସଠିକ ତଥ୍ୟ ଦେଇପାରୁନଥିଲେ । ପରେ ସେ ପୋଷ୍ୟ ସନ୍ତାନଙ୍କ ଉପରେ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଏଗେନଷ୍ଟ୍ ଚାଇଲଡ୍ ଟ୍ରାଫିକିଙ୍ଗ୍ ବା ଆ ସହ ଯୋଗାଯୋଗ କରିଥିଲେ । ଅନେକ ଥର ଯୋଗାଯୋଗ ପରେ ସେହି ସଂସ୍ଥାର ଭାରତୀୟ କର୍ମକର୍ତ୍ତା ମୁମ୍ବାଇର ଆଇନଜୀବୀ ଅଞ୍ଜଳି ପାଓ୍ୱାର ହିଁ ମାମିନାଙ୍କ ପରିଚୟ ଖୋଜି ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ପହଞ୍ଚାଇ ଦେବାରେ ସଫଳ ହୋଇଥିଲେ ।
କୁହାଯାଏ ହାତୀ ବନସ୍ତରେ ଥିଲେ ବି ରାଜାଙ୍କର । ସେମିତି ମାମିନା ବେଲଜିଅମ୍ର ନାଗରିକ ହୋଇଥିଲେ ବି ସେ କିନ୍ତୁ ଏବେ ଗୁଜାପାଙ୍ଗା ଗାଁର ଝିଅ । ଆଉ ସମୟ ସୁବିଧା ଦେଖି ମଝିରେ ମଝିରେ ନିଶ୍ଚୟ ଘରକୁ ଆସିବେ ବୋଲି ନିଜ ବାପା, ଭାଇ, ଭଉଣୀଙ୍କୁ କଥା ବି ଦେଇଛନ୍ତି ମାମିନା । ତେବେ ଏହି ଘଟଣାରୁ ଏହା ହିଁ ସ୍ପଷ୍ଟ ଯେ ଯଦି ବିଶ୍ବାସ ଥାଏ ତେବେ ଲକ୍ଷ୍ୟ ଯେତେ ଦୂରରେ ଥାଉ କି ଅସମ୍ଭବ ହୋଇଥାଉ ସେଥିରେ ବିଜୟ ମିଳିଥାଏ, ସଫଳତା ମିଳିଥାଏ । ମାମିନାଙ୍କ କ୍ଷେତ୍ରରେ ଏହା ହିଁ ପ୍ରଯୁଯ୍ୟ ।
Comments are closed.