Latest Odisha News

BREAKING NEWS

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ ଚୋରି କରିଛି ପୋଲିସ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ଭିଡିଓଟି କାନପୁରର ମହାରାଜପୁରର ଛତମରା ଛକର କୁହାଯାଉଛି। ଏହି ଅଞ୍ଚଳରେ ଜଣେ କନେଷ୍ଟବଳ ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କରୁଥିବା ଦେଖିବାକୁ ମିଳିଥିଲା। କନେଷ୍ଟବଳ ମୋବାଇଲ ଚୋରି କରୁଥିବା ସମୟରେ ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଉଚ୍ଚ ପଦାଧିକାରୀମାନେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚୋରି କାମ କରିଥିବା କନେଷ୍ଟବଳ ହେଉଛନ୍ତି ମହାରାଜପୁର ଥାନାରେ ପୋଷ୍ଟିଂ ହୋଇଥିବା ପ୍ରଗେସ ସିଂହ। ଉକ୍ତ କନେଷ୍ଟବଳଙ୍କ ସହ ଉପସ୍ଥିତ ଅନ୍ୟ ଜଣେ ହୋମଗାର୍ଡଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

ସୂଚନା ଅନୁସାରେ ପୀଡିତ ଯୁବକ ଜଣକ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଦୋକାନ ଆଗରେ ଶୋଇଥିବା ବେଳେ ନିଜ ମୋବାଇଲକୁ ପାଖରେ ରଖିଥିଲେ। ରାତିରେ ଗଭୀର ନିଦ ହେତୁ ତାଙ୍କର ମୋବାଇଲ ଚୋରି ହେଉଛି ବୋଲି ଜାଣିପାରିଲେ ନାହିଁ। ସେ ସକାଳୁ ଉଠି ଦେଖିଲେ ଯେ ତାଙ୍କ ମୋବାଇଲ୍ ନାହିଁ ଏବଂ ସେ ହଠାତ ବ୍ୟସ୍ତ ହୋଇ ଥାନାରେ ଅଭିଯୋଗ କଲେ। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା, ଦୋକାନ ନିକଟରେ ଥିବା ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ଫୁଟେଜକୁ ଦେଖି ପୋଲିସର ତାଜୁବ ହୋଇଥିଲା। ଏଥିରେ ଦୁଇଜଣ କାର୍ଯ୍ୟରତ ପୋଲିସ ମୋବାଇଲ ଚୋରି କରୁଥିବା ବେଳେ ଉପସ୍ଥିତ ଥିଲେ। ଜଣେ କନେଷ୍ଟବଳ ଚୋରି କରୁଥିଲା ଏବଂ ହୋମଗାର୍ଡ ଜଣକ ସାଙ୍ଗରେ ଠିଆ ଥିଲେ। ଏହି ମାମଲାକୁ ନଜରରେ ରଖି ଏସପି ତେଜ ସ୍ୱରୂପ ସିଂ ତୁରନ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରିଥିଲେ।

Leave A Reply

Your email address will not be published.