Latest Odisha News

ନାମଫଳକ ରାଜନୀତି, ଏନଡିଏରେ ତାତି   

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପୁଣି ଧ୍ରୁବୀକରଣ ରାଜନୀତି । କାଉଡିଆମାନଙ୍କ ଯାତ୍ରା ସହ ଜଡିତ ଏକ ନିର୍ଦ୍ଦେଶନାମାକୁ ନେଇ ଉଠିଛି ରାଜନୈତିକ ଝଡ । କାଉଡିଆମାନଙ୍କ ଯାତ୍ରା ମାର୍ଗରେ ସମସ୍ତ ହୋଟେଲ, ଢାବା ଓ ଦୋକାନରେ ମାଲିକଙ୍କ ନାମଫଳକ ଲଗାଇବା ପାଇଁ ଯୋଗୀ ସରକାରଙ୍କ ଆଦେଶ ପରେ ଦେଖାଦେଇଛି ବିବାଦ । ପ୍ରଥମେ ଦଙ୍ଗା ପ୍ରବଣ ଓ ମୁସଲିମ ବହୁଳ ମୁଜାଫରନଗର ଜିଲ୍ଲାରେ କାଉଡିଆମାନେ ଯାତ୍ରା କରିବାକୁ ଥିବା ୨୪୦ କିଲୋମିଟର ଲମ୍ବା ରାସ୍ତା ପାଇଁ ନେମପ୍ଲେଟ ଆଦେଶ ଜାରି ହୋଇଥିଲା । ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ସହ ଦୋକାନୀ ମାଲିକମାନେ ନାମ ଫଳକ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ଏହି ନିଷ୍ପତ୍ତି ମୁସଲିମ ବ୍ୟବସାୟୀଙ୍କୁ ଅସନ୍ତୋଷ କରିଛି । ଏହି ଆଦେଶ ଦ୍ୱାରା ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେବ ବୋଲି ଅନେକ ମୁସଲିମ ବ୍ୟବସାୟୀ କହିଛନ୍ତି । ବିଜେପି ସରକାର ପୁଣି ଥରେ ଧ୍ରୁବୀକରଣର ଶସ୍ତା ରାଜନୀତିକୁ ଓହ୍ଲାଇ ଆସିଥିବା ଅଭିଯୋଗ ହେବା ସହ ସୃଷ୍ଟି ହୋଇଛି ଚାପା ଉତ୍ତେଜନା । ରାଜ୍ୟ ସରକାରଙ୍କ ପଦକ୍ଷେପ ବିଭାଜନକାରୀ ବୋଲି କହି ଜୋରଦାର ସମାଲୋଚନା କରିଛନ୍ତି ବିରୋଧୀ ଦଳ ।

ବିଜେପି ଭିତରୁ ମଧ୍ୟ ଯୋଗୀ ସରକାରଙ୍କ ନେମପ୍ଲେଟ୍ ଆଦେଶ ବିରୋଧରେ ଉଠିଛି ଅସନ୍ତୋଷର ସ୍ୱର । ବରିଷ୍ଠ ବିଜେପି ନେତା ମୁକ୍ତାର ଅବାସ ନକଭୀ ନାମଫଳକ ଆଦେଶ ନେଇ ଆପତ୍ତି ଉଠାଇଛନ୍ତି । ବିଜେପିର ସହଯୋଗୀ ଦଳ ମଧ୍ୟ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

ଏନଡିଏର ପ୍ରମୁଖ ଅଂଶୀଦାର ଜେଡିୟୁ କହିଛି ଯେ, ୟୁପି ସରକାରଙ୍କ ନାମଫଳକ ଆଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍ , ସବକା ବିକାଶ ମନ୍ତ୍ରର ବିରୋଧୀ । ମୁସଲମାନ ଦୋକାନୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ସାମାନ ନ କିଣିବାକୁ ପ୍ରୋତ୍ସାହିତ କରାଯାଉଛି ବୋଲି ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି । ଏଭଳି ଆର୍ଥିକ ବହିଷ୍କାର ସମାଜ ପାଇଁ ଅନୁଚିତ ବୋଲି କହି ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛି ଜେଡିୟୁ ।

ବିଜେପିର ଅନ୍ୟ ସହଯୋଗୀ ଆରଏଲଡି ମଧ୍ୟ ନାମଫଳକ ଆଦେଶକୁ ପ୍ରଶ୍ନ କରିଛି । ଯୋଗୀ ସରକାରଙ୍କ ନିଷ୍ପତ୍ତି ଅସାମ୍ବିଧାନିକ । ଏକ ସଂପ୍ରଦାୟର ଆର୍ଥିକ ବହିଷ୍କାର ଦ୍ୱାରା ନା ବିଜେପି ଓ ନା ୟୁୁପି ସରକାରଙ୍କ ଲାଭ ହେବ ବୋଲି ୟୁପି ଆରଏଲଡି ଅଧ୍ୟକ୍ଷ ରାମାଶିଷ ରାୟ କହିଛନ୍ତି । କିଛି ପୋଲିସ ଅଧିକାରୀ ଓ ଅମଲା ରାଜ୍ୟ ସରକାରଙ୍କୁ ବିଭ୍ରାନ୍ତ କରିଛନ୍ତି । ଆଦେଶ ଭେଦଭାବପୂର୍ଣ୍ଣ ଥିବାରୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ରାମାଶିଷ ।

ଏନଡିଏ ଅଂଶୀଦାର ଏଲଜେପି ମଧ୍ୟ ଯୋଗୀ ସରକାରଙ୍କ ଆଦେଶକୁ କଡା ବିରୋଧ କରିଛି । ଏଲଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନ କହିଛନ୍ତି ଯେ, ଜାତି ବା ଧର୍ମ ନାଁରେ କୌଣସି ଭେଦଭାବକୁ ତାଙ୍କ ଦଳ ସମର୍ଥନ କରିବ ନାହିଁ । ବିରୋଧୀଙ୍କ ସମେତ ଏନଡିଏ ଅଂଶୀଦାର ଦଳର ତୀବ୍ର ବିରୋଧ ଓ ସମାଲୋଚନାରେ ଯୋଗୀ ସରକାର କଣ ପଛକୁ ହଟିବେ?

 

Comments are closed.