Latest Odisha News

BREAKING NEWS

ନୂଆ ରୂପ ପାଇବ କପିଳେଶ୍ଵର ମନ୍ଦିର, ଖର୍ଚ୍ଚ ହେବ ୪୬ ଲକ୍ଷ

ଭୁବନେଶ୍ବର: ପ୍ରାଚୀନ କପିଳେଶ୍ବର ମନ୍ଦିରର ହେବ ନବକଳେବର ହେବ। ପୁରୁଣା ଭୁବନେଶ୍ବରରେ ଥିବା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୬ ଲକ୍ଷ। ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଜରାଜୀର୍ଣ୍ଣ ସ୍ଥିତିରେ ରହିଛି। ଫଳରେ ଉପରୁ ପଥର ପଡିବ ସହିତ ପାଣି ମଧ୍ୟ ଗଳୁଥିବା ଦେଖିବାକୁ ମିଳିଛି । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ବିଭାଗ ଅଧିନକୁ ଯାଇଛି। ଏଏସଆଇ ଅନୁମତିରେ ଏହାର ଉନ୍ନତିକରଣ କାମ ହାତକୁ ନିଆଯାଇଛି।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ କପିଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ୪୬ ଲକ୍ଷ ଟଙ୍କାର ଅନୁଦାନ ଆସିଛି।  ଆଗକୁ ୩ ମାସ ପରେ କପିଳେଶ୍ବର ମନ୍ଦିରର ଅଧିକ ଉନ୍ନତିକରଣ ପାଇଁ ୧ କୋଟି ଟଙ୍କାର ଅନୁଦାନ ରାଶି ଆସିବା ନେଇ ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କପିଳେଶ୍ବର ମନ୍ଦିରର ମରାମତି କାମ ହାତକୁ ନିଆଯିବ। ପର୍ଯ୍ୟଟକମାନେ ରାଜଧାନୀ ଭୁବନେଶ୍ବରରେ ଥିବା ଏହି ପ୍ରାଚୀନ ମନ୍ଦିରକୁ ବୁଲି ଆସିବାରେ କୌଣସି ସମସ୍ୟା ନହେବା ଉଦ୍ଦେଶ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ସାମନ୍ତରାପୁର ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବ। ରାଜଧାନୀର ପର୍ଯ୍ୟଟନ ମାନଚିତ୍ରରେ ଆଗକୁ ପୁରାତନ କପିଳେଶ୍ବର ମନ୍ଦିର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ତେବେ ଆଜି ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏଏସଆଇ ବିଭାଗୀୟ ଅଧିକାରୀ, ବିଧାୟକ ବାବୁ ସିଂ, ସ୍ଥାନୀୟ ଗ୍ରାମବାସୀ, ମନ୍ଦିରର ସେବାୟତ, ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.