Latest Odisha News

କୋଲକାତା ଲଜ୍ଜା: ସ୍ୱର ଉଠାଇଲେ ସେଲିବ୍ରିଟି, କହିଲେ-‘ଦେଶରେ ନାରୀ ସୁରକ୍ଷିତ ଅଛନ୍ତି ତ ?’

କୋଲକାତା: କୋଲକାତା ଆରଜି କର ଡାକ୍ତରଖାନା ଲଜ୍ଜା ଏବେ ସାରା ଦେଶରେ ବିରୋଧର ରୂପ ନେଇଛି । ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ସାରା ଦେଶରେ ଅସଂଖ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ବଲିଉଡ ସେଲିବ୍ରିଟିଠାରୁ ଆରମ୍ଭ କରି ବଡ଼ ବଡ଼ ନେତା, ବ୍ୟବସାୟୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏପରି ସମୟରେ ଅନେକ ସେଲିବ୍ରିଟି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱର ଉଠାଇଛନ୍ତି ।

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଠାରୁ ଆରମ୍ଭ କରି କରୀନା କପୁର ଖାନ, ଓଲିଉଡ ରିୟା ଦେଙ୍କ ଠାରୁ ଆରମ୍ଭ କରି ଶୀତଲ ପାତ୍ର ଯାଏଁ ସୋସିଆଲ ମିଡିଆରେ ପୋଷ୍ଟ କରି ବିରୋଧ କରିଛନ୍ତି ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସ୍ୱାଧିନା ଦିବସ ଅବସରରେ ଅନେକ ସେଲିବ୍ରିଟି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ସତ କିନ୍ତୁ ଅନେକ ଅଭିନେତ୍ରୀ ଦେଶ ପ୍ରକୃତରେ ସ୍ୱାଧୀନତା ଅଛି କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସ୍ୱାଧୀନତା ଦିବସରେ ଅନେକ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କୋଲକାତା ଦୁଷ୍କର୍ମକୁ ନେଇ ଅନେକ କିଛି ଲେଖିଛନ୍ତି। କରୀନା କପୁର ଖାନ ଲେଖିଛନ୍ତି, “୧୨ ବର୍ଷ ପରେ ସମାନ କାହାଣୀ, ସମାନ ବିରୋଧ। କିନ୍ତୁ ଆମେ ପରିବର୍ତ୍ତନକୁ ଅପେକ୍ଷା କରିଛୁ।” କରୀନା ୨୦୧୨ ଦିଲ୍ଲୀର ଗଣବଳାତ୍କାର ଏବଂ ହତ୍ୟା ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସାଧାରଣତଃ ନିର୍ଭୟା ମାମଲା ଭାବେ ଜଣାଶୁଣା।

ସେହିପରି ପ୍ରୀତି ଜିଣ୍ଟା ଲେଖିଛନ୍ତି, ”ଆମେ ଦୁନିଆର ପଞ୍ଚମ ବୃହତ୍ତମ ଅର୍ଥନୀତି। ନିର୍ବାଚନରେ ​​୬୩ ପ୍ରତିଶତ ମହିଳା ଭୋଟର ଅଛନ୍ତି। ମହିଳାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଏହା ଆସିଛି ସମୟ । ଏହା ଅତ୍ୟନ୍ତ ଦୁଃଖଦାୟକ ।” ମଲାଇକା ଆରୋରା ନିଜ ପୋଷ୍ଟରେ ଲେଖିଛନ୍ତି, ”ବର୍ତ୍ତମାନ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି ହେଲେ ଆମେ କେଉଁ ସ୍ୱାଧୀନତା ପାଳନ କରୁଛୁ? ପୁନର୍ବାର ଏକ ପଦଯାତ୍ରା… ଏକ ବିରୋଧ । କିଛି ଦିନ ପାଇଁ … ଯେପର୍ଯ୍ୟନ୍ତ ଅନ୍ୟ ଏକ ଘଟଣା ସାମ୍ନାକୁ ଆସେ ।” ଏମାନଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଜାନଭୀ କପୁର, ସାରା ଅଲି ଖାନ, ଆଲିଆ ଭଟ୍ଟ, କିଆରା ଆଡଭାନୀ, ମୀରା କପୁର, ରାଶି ଖାନ୍ନା, ସାନିଆ ମିର୍ଜା, କ୍ରିତି ସାନନ ଏହି ଅଭିନେତ୍ରୀଙ୍କୁ ଦୃଢ ନିନ୍ଦା କରିବା ସହ ମହିଳାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି ।

Comments are closed.