ନୂଆଦିଲ୍ଲୀ: ଆଜି ହେଉଛି କାରଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଆଜିର ଦିନରେ କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ଏନେଇ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି ।
କାରଗିଲ୍ ବିଜୟ ଦିବସ ଅବସରରେ ଭାରତୀୟ ସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଲଦାଖର ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ସହିତ ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ପାକିସ୍ତାନକୁ ଏକ ସିଧାସଳଖ ବାର୍ତ୍ତା ଦେଇଥିଲା ଯେ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ ।
ଏହାସହିତ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆହୁରି ମଧ୍ୟ କହିଛନ୍ତି ଯେ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଏକ ଜବାବ ଥିଲା ଅପରେସନ ସିନ୍ଦୂର । ଯାହା ଯେଉଁ ଆକ୍ରମଣ ସମଗ୍ର ଦେଶକୁ ଗଭୀର ଆଘାତ ଦେଇଥିଲା । ଭାରତ ସେହି ଆକ୍ରମଣରେ ଶୋକ ପ୍ରକାଶ କରିବା ସହ ମୁହଁତୋଡ ଜବାବ ମଧ୍ୟ ଦେଇଛି ।
ସେ କହିଛନ୍ତି ଯେ ଭାରତ ଅନେକ ଥର ସ୍ପଷ୍ଟ କରିସାରିଛି ଯେ ଏହାର ସୀମା ମଧ୍ୟରେ କୌଣସି ମନ୍ଦ ଉଦ୍ଦେଶ୍ୟ ସଫଳ ହେବ ନାହିଁ । ଯେପର୍ଯ୍ୟନ୍ତ ସାହସୀ ସୈନିକ ଅଛନ୍ତି, ସେପର୍ଯ୍ୟନ୍ତ ଭାରତର ଏକତା ଏବଂ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବ ନାହିଁ । ଏହି ପରମ୍ପରାକୁ ଆଗକୁ ବଢାଇ ଭାରତ ନିକଟରେ ଅପରେସନ ସିନ୍ଦୂର ସହିତ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିଛି ।
Comments are closed.