୩ ମାସର ଛୁଆ ବିକିଲା, ମୋବାଇଲ ଓ ଗାଡି କିଣିଲା !

କର୍ଣ୍ଣାଟକ: ନିଜ ସଉକ ପୂରଣ କରିବା ପାଇଁ ଆପଣ କଣ କରିବେ । ଚାକିରୀ କରିବେ, ବେପାର କରିବେ, ଚୋରି କରିବେ ନା ଧାର କରଜ ଟଙ୍କାରେ ମଉଜ ମସ୍ତି କରି ଲୁଚିବୁଲିବେ । ହେଲେ କେବେ ଆପଣଙ୍କ ନଜରକୁ ଆସିଛି ଯେ, ମୋବାଇଲ ଓ ଗାଡି କିଣିବା ପାଇଁ ଜଣେ ବାପା ତା ତିନି ମାସର ଛୁଆକୁ ବିକ୍ରି କରିଛି ।

ଅବିଶ୍ୱସନୀୟ ଲାଗୁଥିଲେ ବି ଚିକ୍କାବଲ୍ଲାପୁରର ତିନାକାଲ ଗାଁରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଦିନ ମଜୁରିଆ ନିଜ ୩ମାସର ଶିଶୁକନ୍ୟାକୁ ବିକି ଗାଡି ଓ ମୋବାଇଲ କିଣିବା ଘଟଣା ସ୍ଥାନୀୟ ଅଂଚଳରେ ଚହଳ ଖେଳାଇଥିଲା । ରିପୋର୍ଟ ଅନୁଯାୟୀ ଜନ୍ମ ହେବା ପରେ ନିଜ ଶିଶୁକନ୍ୟାକୁ ବେଙ୍ଗାଳୁରୁରେ ବିକ୍ରି କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲା । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ତା ଯୋଜନା ପଣ୍ଡ ହୋଇଥିଲା ।

ତେବେ ଏକ ନିଃସନ୍ତାନ ଦମ୍ପତିଙ୍କୁ ଲକ୍ଷେ ଟଙ୍କାରେ ନିଜ ଶିଶୁକନ୍ୟାକୁ ବିକିବାରେ ସେ ସଫଳ ହୋଇଥିଲା । ଟଙ୍କା ଆସିବା ପରେ ଦିନ ମଜୁରିଆ ଜଣକ ଗାଡି ଚଢିବା ଓ ମୋବାଇଲ ଧରିବା ଦେଖି ପଡୋଶୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଗାଁ ଲୋକଙ୍କଠାରୁ ସୂଚନା ପାଇବା ପରେ ପ୍ରତ୍ୟକ୍ଷ ଭାବେ ଯାଂଚ ଆରମ୍ଭ କରିଥିଲା ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ ।

ଶେଷରେ ଶନିବାର ମାଆମ୍ମାଛନାହାଲି ଗାଁରେ ଦମ୍ପତିଙ୍କ ଘରୁ ଶିଶୁକନ୍ୟା ଠାବ ହୋଇଥିଲା । ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଆଶ୍ରମରେ ରଖାଯାଇଛି । ଅନ୍ୟପଟେ ମା’ର ବୟାନ ସ୍ୱାମୀର ଧମକ ଆଗରେ ସେ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକ ନିଜ ଶିଶୁକନ୍ୟାକୁ ବିକ୍ରୟ କରି ୧୫ହଜାର ଟଙ୍କାର ମୋବାଇଲ ଓ ୫୦ହଜାର ଟଙ୍କାର ବାଇକ କିଣିଥିଲା । ଅଭିଯୁକ୍ତ ବାପା ଫେରାର ଥିବାବେଳେ ତାକୁ ଗିରଫ କରିବା ଲାଗି ପୋଲିସର ଧରପଗଡ ଜାରି ରହିଛି ।