ଭୁବନେଶ୍ବର: ଭୁବନେଶ୍ୱରରେ ଲଭ ଜିହାଦ ଅଭିଯୋଗ । ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପାଇଁ ଯୋଜନା ହୋଇଥିଲା ।ହିନ୍ଦୁ ଯୁବକର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ଇର୍ଫାନ ଅନସାରୀ । ଯୁବତୀ ଜାଣିଦେବା ପରେ ହୋଟେଲକୁ ଡାକି ନିର୍ଯାତନା ଦେଇଥିଲା ଅଭିଯୁକ୍ତ । ତେବେ ଜବରଦସ୍ତ କର୍ଣ୍ଣାଟକ ନେବାବେଳେ ଅଧାବାଟର ସହିଦନଗର ଥାନା ପୋଲିସ ଧରିଛି। ଅଭିଯୁକ୍ତ ଯୁବକ ନାଁ ହେଲା ଇର୍ଫାନ ଅନସାରୀ। ଘର ହେଉଛି କର୍ଣ୍ଣାଟକ। ତା ଠାରୁ ଏକ କାର୍, ଏକ ଖଣ୍ଡା, ମୋବାଇଲ୍ ଫୋନ୍ ଜବତ ହୋଇଛି।
ଖବରମୁତାବକ, ସୋସିଆଲ ମିଡିଆରେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ନିଜର ନାଁ ଜୟରାମ ଶର୍ମା ବୋଲି କହି ବିବାହର ପ୍ରଲୋଭନ ଦେଖାଇଥିଲା। ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଯୁବକ ସମ୍ପର୍କରେ ପ୍ରକୃତ ତଥ୍ୟ ପାଇବା ପରେ ଥାନାରେ ଜଣାଇଥିଲେ ଯୁବତୀଙ୍କ ପରିବାର। ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଗୋଟିଏ ଲଭ୍ ଜିହାଦ ନା, ପୂର୍ବରୁ ଅନେକ ମହିଳା ଫସିଛନ୍ତି ଏନେଇ ତଦନ୍ତ କରୁଛି ପୋଲିସ । ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରିଛି।
ସୂଚନାଥାଉକି, ଯେତେବେଳେ ଇରଫାନର ଆଧାର କାର୍ଡ ମିଳିଥିଲା ଅସଲ ଚେହେରା ଯୁବତୀ ଜଣକ ଜାଣିଥିଲେ । ଗୋଟିଏ ଆଧାର କାର୍ଡରେ ଇରଫାନ ଅନସାରୀ ନାମ ଥିବାବେଳେ ଅନ୍ୟଟିରେ ଜୟରାମ ଶର୍ମା ଲେଖା ହୋଇଥିଲା । ସତ ଜାଣିବା ପରେ ତାଙ୍କୁ ଅଭିଯୁକ୍ତ ଜଣକ ଭୁବନେଶ୍ବରର ଏକ ତାରକା ହୋଟେଲରେ ୪ ଘଣ୍ଟା ଧରି ମାଡ଼ ମାରି ଲହୁ ଲୁହାଣ କରିଥିଲା।
ଏପଟେ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ମିଛ ପ୍ରମାଣ ପତ୍ର ଦେଇ ସଂପର୍କ ରଖିବା ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଛି। ଷ୍ଟାର୍ ହୋଟେଲର ସିସିଟିଭି ସହ ଅଭିଯୁକ୍ତର ପରିଚୟ ପତ୍ର ଜବତ କରିଛି ପୋଲିସ।