କରୁର: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ଶନିବାର ଦିନ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ଦାୟର ହୋଇଥିବା ଏଫଆଇଆରରେ ବିଜୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ଏଥିରେ କୁହାଯାଇଛି ଯେ ଅଭିନେତା ଜାଣିଶୁଣି ବିଳମ୍ବରେ ପହଞ୍ଚିଥିଲେ ଏବଂ ବିନା ଅନୁମତିରେ ରୋଡ ଶୋ କରିଥିଲେ।
ରିପୋର୍ଟ ଅନୁଯାୟୀ, ଟିଭିକେ ଜିଲ୍ଲା ସମ୍ପାଦକ ମାଥିୟାଜାଗନ ଅନୁମତି ମାଗିଥିଲେ। ଏଥିସହିତ ଦାବି କରିଥିଲେ ଯେ ୧୦,୦୦୦ ଲୋକ ରାଲିରେ ଯୋଗଦେବେ। ବିଜୟଙ୍କ ଆସିବା ଖବର ପ୍ରସାରିତ ହେବା ପରେ ଭିଡ଼ ୨୫,୦୦୦ରୁ ଅଧିକ ହୋଇଯାଇଥିଲା। ବିଜୟ ଜାଣିଶୁଣି ଅଧିକ ଭିଡ଼ କରିବା ପାଇଁ ତାଙ୍କ ଆସିବାରେ ବିଳମ୍ବ କରିଥିଲେ।
ଏଫଆଇଆରରେ କୁହାଯାଇଛି, “ସମୟରେ କାର୍ଯ୍ୟକ୍ରମ ଆୟୋଜନ କରିବା ପରିବର୍ତ୍ତେ, ବିଜୟଙ୍କ କରୁରରେ ପହଞ୍ଚିବା ପାଇଁ ଚାରି ଘଣ୍ଟା ବିଳମ୍ବ କରାଯାଇଥିଲା ଯାହା ଫଳରେ ଅଧିକ ଭିଡ଼ ସୃଷ୍ଟି ହୋଇଥିଲା। ଏହା ହଜାର ହଜାର ଲୋକ ସୂର୍ଯ୍ୟକିରଣରେ ଠିଆ ହୋଇ କ୍ଲାନ୍ତ ହୋଇଗଲେ, ଯାହା ଫଳରେ ଦଳାଚକଟା ହୋଇଥିଲା।”
ଏଫଆଇଆର ଅନୁଯାୟୀ, ବିଜୟ ଅପରାହ୍ନ ପ୍ରାୟ ୪.୪୫ମି. ସମୟରେ ଭେଲାୟୁଧମ୍ପଲାୟମର ଜିଲ୍ଲା ସୀମାରେ ପହଞ୍ଚିଥିଲେ। ବିଳମ୍ବ ସତ୍ତ୍ୱେ ସେ ଅନୁମତି ବିନା ରୋଡ ଶୋ ପରିଚାଳନା କରିଥିଲେ। ଯେତେବେଳେ ବିଜୟଙ୍କ କାଫଲା ସନ୍ଧ୍ୟା ୭ଟାରେ ଭେଲୁଚାମିପୁରମରେ ପହଞ୍ଚିଲା ସେତେବେଳେ ଭିଡ଼ ଅନିୟନ୍ତ୍ରିତ ହୋଇଯାଇଥିଲା। ପୋଲିସ ଅଧିକାରୀମାନେ ମାଥିଆଜାଗନ, ବୁଶି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। ଏପରିକି ଶ୍ୱାସରୁଦ୍ଧ ଏବଂ ଆଘାତ ହେବାର ଆଶଙ୍କା ଥାଇପାରେ, କିନ୍ତୁ ଚେତାବନୀଗୁଡ଼ିକୁ ଅଣଦେଖା କରାଯାଇଥିଲା।
ରିପୋର୍ଟ ଅନୁଯାୟୀ ପୋଲିସ ସହାୟତାରେ ମଧ୍ୟ ଟିଭିକେ ନେତାମାନେ ଭିଡ଼କୁ ନିୟନ୍ତ୍ରଣ କରିପାରିନଥିଲେ। ଲୋକମାନେ ଗଛ ଏବଂ ଅସ୍ଥାୟୀ ରାସ୍ତା କଡ଼ରେ ଥିବା ଆଶ୍ରୟସ୍ଥଳୀ ଉପରେ ମଧ୍ୟ ଚଢ଼ିଥିଲେ। ଯାହା ପରବର୍ତ୍ତୀ ସମୟରେ ଧସି ପଡ଼ିଥିଲେ ଫଳରେ ତଳେ ଠିଆ ହୋଇଥିବା ଲୋକମାନେ ଫସି ଯାଇଥିଲେ। ପରେ ଦଳାଚକଟା ସ୍ଥିତି ଉପୁଜିଥିଲା।
Comments are closed.