Latest Odisha News

BREAKING NEWS

ଏଫବିଆଇର ନୂଆ ନିର୍ଦ୍ଦେଶକ ପ୍ରବାସୀ ଭାରତୀୟ କାଶ ପଟେଲ

ନୂଆଦିଲ୍ଲୀ: ଏଫବିଆଇର ନୂଆ ନିର୍ଦ୍ଦେଶକ ହେବେ ଭାରତର ପୁଅ କାଶ ପଟେଲ । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ତଥା ପୂର୍ବତନ ଜାତୀୟ ସୁରକ୍ଷା ସହାୟକ କାଶ ପଟେଲଙ୍କୁ ପରବର୍ତ୍ତୀ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ନିର୍ଦ୍ଦେଶକ ଭାବରେ ବାଛିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଖ୍ରୀଷ୍ଟୋଫର ରଏ ଏହି ପଦବୀରେ ଥିବା ବେଳେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ସ୍ଥାନ ନେବେ କାଶ ପଟେଲ ।

ସେପଟେ ଏଫବିଆଇ ନିର୍ଦ୍ଦେଶକ ଭାବେ ପଟେଲ ନାଁ ଘୋଷଣା କରିବା ବେଳେ ପଟେଲଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ପଟେଲ ଜଣେ ବ୍ରିଲିଆଣ୍ଟ ଆଇନଜୀବୀ, ଅନୁସନ୍ଧାନକାରୀ ଏବଂ ଆମେରିକା ପ୍ରଥମ ଯୋଦ୍ଧା ଯିଏ ତାଙ୍କ ଜୀବନ ନ୍ୟାୟକୁ ରକ୍ଷା କରିବାରେ, ଦୁର୍ନୀତିର ପର୍ଦ୍ଦାଫାସ କରିବା, ଆମେରିକୀୟ ଲୋକଙ୍କ ସୁରକ୍ଷାରେ ଅତିବାହିତ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ତେବେ ୪୪ ବର୍ଷୀୟ କାଶ ପଟେଲ ଜଣେ ପ୍ରବାସୀ ଭାରତୀୟ ପୁଅ । ଆମେରିକାରେ ଜଣେ ସୁଦକ୍ଷ ଆଇନଜୀବି ଏବଂ ଜାତୀୟ ନିରାପତ୍ତାରେ ପଟେଲଙ୍କ ଦକ୍ଷତା ବେଶ୍ ଜଣାଶୁଣା । ଜଣେ ପବ୍ଲିକ୍ ଡିଫେଣ୍ଡର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ କଠିନରୁ କଠିନ କେସଠୁ ଆରମ୍ଭ କରି ହତ୍ୟା, ଆର୍ଥିକ ଅପରାଧ ଭଳି ବିଭିନ୍ନ ଜଟିଳ ମାମଲାକୁ ରାଜ୍ୟ ତଥା ଫେଡେରାଲ କୋର୍ଟରେ ଲଢିଛନ୍ତି ।

ପରେ ସେ ନ୍ୟାୟ ବିଭାଗ (ଡିଓଜେ) କୁ ସ୍ଥାନାନ୍ତରିତ ହୋଇଥିଲେ ଯେଉଁଠାରେ ସେ ଆତଙ୍କବାଦ ଓକିଲ ଭାବରେ କାର୍ଯ୍ୟ କରିଥିଲେ, ଅଲ-କାଏଦା ଏବଂ ଆଇଏସଆଇଏସ ସହ ଜଡିତ ଅପରାଧୀଙ୍କ କାର୍ଯ୍ୟର ତଦାରଖ କରିଥିଲେ । ୨୦୧୮ ଟ୍ରମ୍ପ ଅଭିଯାନ ପରାମର୍ଶଦାତାଙ୍କୁ ଟାର୍ଗେଟ କରି ସିବିଆଇ ନିୟମର ଅପବ୍ୟବହାର ଅଭିଯୋଗ ହୋଇଥିବା ବେଳେ ସେଥିରେ ଏକ ବର୍ଗୀକୃତ ମେମୋ ପ୍ରସ୍ତୁତ କରିବାରେ ପଟେଲ ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ୨୦୧୯ରେ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ମାସରେ ପ୍ରତିରକ୍ଷା ସଚିବଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.