ଶ୍ରୀନଗର: ପ୍ରତୀକ୍ଷାର ଅନ୍ତ । ଶେଷରେ ରେଳ ଯୋଗେ କଶ୍ମୀର ଦେଶର ଅନ୍ୟ ଅଂଶ ସହିତ ଖୁବଶୀଘ୍ର ଯୋଡି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ, କାଶ୍ମୀର ବାସୀ ପ୍ରଥମ ଟ୍ରେନ ସେବା ପାଇବାକୁ ଯାଉଥିବା ନେଇ ସୂଚନା ମିଳୁଛି । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୯ରେ କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ପ୍ରଥମ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିସହିତ ଉଦଘାଟନୀ ଟ୍ରେନଟି ଏକ ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ ହେବ ।
ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ ୧୯ରେ କାଶ୍ମୀର ଉପତ୍ୟକାକୁ ସଂଯୋଗ କରୁଥିବା ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଟ୍ରେନଟି ପ୍ରାରମ୍ଭରେ କଟରା ଏବଂ ଶ୍ରୀନଗର କିମ୍ବା ବାରାମୁଲା ମଧ୍ୟରେ ଚାଲିବାର ସମ୍ଭାବନା ରହିଛି । ଯାହାର ସମ୍ପ୍ରସାରଣ ଯୋଜନା ଆସନ୍ତା ଅଗଷ୍ଟ ମାସ ଯାଏଁ ରହିଛି ।
ଏଥିସହିତ ମୋଦି ଏହି ସମୟରେ ବିଶ୍ୱର ସର୍ବୋଚ୍ଚ ଚେନାବ ରେଳ ସେତୁ ମଧ୍ୟ ପରିଦର୍ଶନ କରିବେ । ସେହି ଦିନ କଟରାରେ ଏକ ସାଧାରଣ ରାଲିକୁ ମଧ୍ୟ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଏବଂ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ତେବେ କୁହାଯାଉଛି, ପ୍ରାଥମିକ ସ୍ତରରେ ଏହି ଟ୍ରେନଟି କଟରା ଏବଂ ଶ୍ରୀନଗର କିମ୍ବା ବାରାମୁଲ୍ଲା ମଧ୍ୟରେ ଚଳାଚଳ କରିବ । ଆସନ୍ତା ଅଗଷ୍ଟ ମାସରୁ, ଜମ୍ମୁ ରେଳ ଷ୍ଟେସନରେ ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହେବା ପରେ, ଟ୍ରେନଟି ଜମ୍ମୁରୁ ଶ୍ରୀନଗର/ବାରାମୁଲ୍ଲା ପର୍ଯ୍ୟନ୍ତ ଚଳାଚଳ କରିବ । ତେବେ ବର୍ତ୍ତମାନ ଦିଲ୍ଲୀରୁ ଶ୍ରୀନଗରକୁ କୌଣସି ସିଧାସଳଖ ଟ୍ରେନ ସେବା ନେଇ ସୂଚନା ମିଳିନାହିଁ ।
Comments are closed.