ଡେରାଡୁନ:ଆଜି କେଦାରନାଥ ଧାମ ସହ ରୁଦ୍ରପ୍ରୟାଗରେ ପାଗ ସଫା ରହିଛି । ଏହାକୁ ନଜରରେ ରଖି ତୀର୍ଥଯାତ୍ରା ମଧ୍ୟ ପୁଣି ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୧ ତାରିଖରୁ ବନ୍ଦ ଥିବା କେଦାରନାଥ ଯାତ୍ରା ପୁଣି ଥରେ ଖୋଲିଛି। ସୂଚନାଥାଉକି କେଦାରନାଥ ଧାମ ସହିତ ବଦ୍ରିନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି।
ପ୍ରବଳ ବର୍ଷା ଭୂସ୍ଖଳନ ଯୋଗୁଁ କିଛି ଦିନ ଧରି ବନ୍ଦ ଥିବା କେଦାରନାଥ ଧାମ ଯାତ୍ରା ପୁଣି ଆଜି ଆରମ୍ଭ ହୋଇଯାଇଛି । ସୋନପ୍ରୟାଗ ମାର୍ଗ ଦେଇ ତୀର୍ଥଯାତ୍ରୀମାନଙ୍କୁ ଆଜି ଦର୍ଶନ ପାଇଁ ଧାମକୁ ପଠାଯାଇଥିଲା।ଅନ୍ୟପଟେ କେଦାରନାଥ ଧାମରେ ଅବସ୍ଥିତ ପର୍ବତ ଶିଖରଗୁଡ଼ିକରେ ତୁଷାରପାତ ହୋଇଛି ।
କେଦାରନାଥର ବରିଷ୍ଠ ତୀର୍ଥ ପୁରୋହିତ ଉମେଶ ପୋସ୍ତି କହିଛନ୍ତି ଯେ, କେଦାରନାଥ ଧାମରେ ପାଗ ସଫା ହୋଇଛି। ଧାମକୁ ଆସୁଥିବା ଭକ୍ତମାନେ ସହଜରେ ବାବା କେଦାରଙ୍କ ଦର୍ଶନ କରୁଛନ୍ତି। ଯାତ୍ରା ଖୋଲିବା ମାତ୍ରେ ହଜାର ହଜାର ଭକ୍ତ ଧାମରେ ପହଞ୍ଚିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ କେଦାରନାଥ ଧାମ ଆସିବା ପାଇଁ ଫୋନ ଆସୁଛି, କିନ୍ତୁ ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀମାନେ ଏଠାକୁ ପହଞ୍ଚି ପାରୁନାହାଁନ୍ତି। ଆଗାମୀ ଦିନରେ ପାଗ ସମ୍ପୂର୍ଣ୍ଣ ସଫା ହେବା ପରେ ତୀର୍ଥଯାତ୍ରୀଙ୍କ ବୃଦ୍ଧି ହେବାର ସମ୍ଭାବନା ରହିଛି।
ପୁରୋହିତ ଉମେଶ କହିଛନ୍ତି ଯେ କେଦାରନାଥ ଧାମର ପାହାଡ଼ଗୁଡ଼ିକ ବରଫର ଚାଦରରେ ଆଚ୍ଛାଦିତ ହୋଇଯାଇଛି। ପାହାଡ଼ ଉପରେ ବରଫ ଦେଖି ଭକ୍ତମାନେ ମଧ୍ୟ ଖୁସି। ସକାଳ ଏବଂ ସନ୍ଧ୍ୟାରେ ଧାମରେ ଥଣ୍ଡାର ପ୍ରକୋପ ମଧ୍ୟ ବୃଦ୍ଧି ପାଇଛି।
ବଦ୍ରି କେଦାର ମନ୍ଦିର କମିଟିର ଉପାଧ୍ୟକ୍ଷ ବିଜୟ କହିଛନ୍ତି ଯେ, ବହୁ ସଂଖ୍ୟକ ଭକ୍ତ କେଦାରନାଥ ଧାମ ଦର୍ଶନ କରିବାକୁ ଆତୁର ଅଛନ୍ତି, କିନ୍ତୁ ବାରମ୍ବାର ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ପଡୁଛି।
Comments are closed.