Latest Odisha News

କେଜରୀୱାଲ ପୁଣି ଖେଳିଲେ ‘ଇମାନଦାରୀ କାର୍ଡ’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରୀୱାଲ । ଦୁଇ ଦିନ ପରେ ସେ ପଦ ଛାଡିଦେବେ ବୋଲି ଘୋଷଣା କରିଛନ୍ତି କେଜ୍ରୀୱାଲ । ଜନତା ତାଙ୍କୁ ସଚ୍ଚୋଟତାର ସାର୍ଟିଫିକେଟ ନ ଦେବା ଯାଏଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କେଜ୍ରୀୱାଲଙ୍କ ଘୋଷଣା କରିଛନ୍ତି । ସ୍ପଷ୍ଟ ଯେ, କେଜ୍ରୀୱାଲ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି । ତେବେ ଆମ୍ ଆଦମୀ ପାର୍ଟି ମୁଖିଆ ଇମାନାଦାରୀ ବା ସଚ୍ଚୋଟତାର କାର୍ଡ ଲୋକସଭା ନିର୍ବାଚନରେ ବି ଖେଳିସାରିଛନ୍ତି । କିନ୍ତୁ ଏହା ଫେଲ୍ ମାରିଥିଲା ।

ଲୋକସଭା ନିର୍ବାଚନରେ କାମ ଦେଇନଥିଲା ଇମାନଦାରୀ କାର୍ଡ

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରୀୱାଲ ଏ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ । ତାଙ୍କ ଗିରଫଦାରୀ ପରେ ଆମ ଆଦମୀ ପାର୍ଟି ପକ୍ଷରୁ କେଜ୍ରୀୱାଲଙ୍କ ସଚ୍ଚୋଟତା ଭିତ୍ତିରେ ଭୋଟ୍ ଭିକ୍ଷା କରାଯାଇଥିଲା । ଖୋଦ କେଜ୍ରୀୱାଲ ମଧ୍ୟ ଅନ୍ତରୀଣ ଜାମିନରେ ଆସି ନିଜକୁ ନିର୍ଦ୍ଦୋଷ କହି ଭୋଟ୍ ମାଗିଥିଲେ । ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ଜେଲ୍ ପଠାଯାଇଛି ବୋଲି କହି ନିର୍ବାଚନ ପ୍ରଚାରରେ ଭୋଟ୍ ମାଗିଥିଲେ । ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେଇ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ଭୋଟରଙ୍କୁ ଇମୋସନାଲ ଅପିଲ କରିଥିଲେ କେଜ୍ରୀୱାଲ । ଯଦି ଦିଲ୍ଲୀର ଲୋକ ତାଙ୍କୁ ଜେଲ୍ ବାହାରେ ଦେଖିବାକୁ ଚାହାନ୍ତି, ତାହା ହେଲେ ସମସ୍ତ ୭ଟି ଲୋକସଭା ଆସନରେ ଆମ୍ ଆଦମୀ ପାର୍ଟିକୁ ଜିତାନ୍ତୁ ବୋଲି ଅପିଲ୍ କରିଥିଲେ କେଜ୍ରୀୱାଲ୍ । କିନ୍ତୁ ଲୋକସଭା ନିର୍ବାଚନର ଫଳାଫଳ ହୋଇଥିଲା ଓଲଟା । ଦିଲ୍ଲୀର ସମସ୍ତ ୭ଟି ଆସନରେ ପରାସ୍ତ ହୋଇଥିଲା ଆମ୍ ଆଦମୀ ପାର୍ଟି । କାମ ଦେଇନଥିଲା କେଜ୍ରୀୱାଲଙ୍କ ଇମାନଦାରୀ କାର୍ଡ ।

ଏବେ ପୁଣି କାହିଁକି ‘ଇମାନଦାରୀ’ ଗ୍ୟାମ୍ବଲ?

ଲୋକସଭା ନିର୍ବାଚନରେ ଇମାନଦାରୀ କାର୍ଡ ଭୋଟରଙ୍କୁ କାଟୁ କରିନଥିଲେ ମଧ୍ୟ କେଜ୍ରୀୱାଲ ପୁଣି ଥରେ ବଡ ଗ୍ୟାମ୍ବଲ ନେଇଛନ୍ତି । ଦିଲ୍ଲୀର ଜନତା ସେ ସଚ୍ଚୋଟ ନା ନାହିଁ ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଇଛନ୍ତି କେଜ୍ରୀୱାଲ । ଗତ ତିନୋଟି ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖି କେଜ୍ରୀୱାଲ ପୁଣି ଇମାନଦାରୀ କାର୍ଡ ଖେଳିଥିବା ରାଜନୀତି ବିଶେଷଜ୍ଞମାନେ କହିଛନ୍ତି । ବିଧାନସଭା ନିର୍ବାଚନରେ ଦିଲ୍ଲୀର ଭୋଟର ଆମ୍ ଆଦମୀ ପାର୍ଟିକୁ ଜିତାଉଥିବା ବେଳେ ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେଉଛନ୍ତି । ୨୦୧୪ରୁ ଚାଲିଆସିଛି ଏହି ଧାରା । ୨୦୨୪ ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନରେ କବଜା କରିଛି ବିଜେପି । ଯଦି ଧାରା ଜାରି ରହେ, ତାହା ହେଲେ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ବିଜୟ ନିଶ୍ଚିତ ।

କେଜ୍ରୀୱାଲଙ୍କ କାଲକୁଲେଟ୍ ରିସ୍କ

ରାଜନୈତିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ ଅରବିନ୍ଦ କେଜ୍ରୀୱାଲ ସବୁ ନିଷ୍ପତ୍ତି ବେଶ ଭାବିଚିନ୍ତି ନେଇଥାଆନ୍ତି । ଏଥର ଇସ୍ତଫା ଓ ଇମାନଦାରୀ କାର୍ଡ ଖେଳି ପୁଣି ଥରେ ବଡ କାଲକୁଲେଟ୍ ରିସ୍କ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ଦେଇ ବିଜେପି ପକ୍ଷରୁ ଉଠାଯାଉଥିବା ନୈତିକତାର ପ୍ରଶ୍ନକୁ ଏଡାଇ ଦେବାକୁ ଚେଷ୍ଟା କରିଛନ୍ତି କେଜ୍ରୀୱାଲ । ଚତୁରତାର ସହ କେଜ୍ରୀୱାଲ କହିଛନ୍ତି ଯେ, ଜନତାଙ୍କ ଭୋଟ ହିଁ ତାଙ୍କ ପାଇଁ ଇମାନଦାରୀର ସାର୍ଟିଫିକେଟ ହେବ । କେଜ୍ରୀୱାଲଙ୍କ ଏହି ପୁରୁଣା ଗ୍ୟାମ୍ବଲ ଆସନ୍ତା ବିଧାନସଭା ନିର୍ବାଚନରେ କାମ ଦେବ କି ନାହିଁ, ତାହା ବଡ ପ୍ରଶ୍ନ ।

Comments are closed.