ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଚିଠିରେ; ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି । କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ବରିଷ୍ଠ ନାଗରିକମାନଙ୍କୁ ରେଳ ଯାତ୍ରାରେ ୫୦% ପ୍ରତିଶତ ରିହାତି ମିଳୁଥିଲା, ଫଳରେ ଦେଶର ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ଏହା ଦ୍ବାରା ଉପକୃତ ହେଉଥିଲେ । କିନ୍ତୁ ଆପଣଙ୍କ ସରକାର ଏହି ସୁବିଧା ବନ୍ଦ କରିଦେଇଥିବାରୁ ଏହା ଖୁବ ଦୁର୍ଭାଗ୍ୟଜନକ ବୋଲି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି କେଜ୍ରିୱାଲ୍।
ସୂଚନାଯୋଗ୍ୟ, ଦେଶବ୍ୟାପୀ ଲକଡାଉନ୍ ପରେ ୨୦ ମାର୍ଚ୍ଚ ୨୦୨୦ରେ ଭାରତୀୟ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ମଳୁଥିବା ରିହାତି ଟିକେଟ୍ ସୁବିଧା ବନ୍ଦ ହୋଇଯାଇଛି। ଆଉ ଏସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ମଧ୍ୟ ଦେଇଥିଲେ । ଯାହା ଉପରେ ମଧ୍ୟ ଟିପ୍ପଣୀ କରି କେଜ୍ରିୱାଲ କହିଛନ୍ତି, ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ଦ୍ବାରା ଆପଣଙ୍କ ସରକାର ୧୬୦୦ କୋଟି ଟଙ୍କା ସଞ୍ଚୟ କରିବ । କିନ୍ତୁ ଏହି ଅର୍ଥ ଖର୍ଚ୍ଚ କଲେ ଆପଣଙ୍କ ସରକାର ଗରିବ ହୋଇଯିବେ ନାହିଁ ବୋଲି କହି କଟାକ୍ଷ କରିଛନ୍ତି କେଜ୍ରିୱାଲ। ଏଥିସହ ଦିଲ୍ଲୀରେ ତାଙ୍କ ସରକାର ସମୟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ବିଭିନ୍ନ ରିହାତି ସମ୍ପର୍କରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏବେ ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ରେଳବାଇର ରାଜସ୍ବ ଆୟରେ ମଧ୍ୟ ବୃଦ୍ଧି ଘଟିଥିବାରୁ ସଂସଦୀୟ କମିଟି ୋ ରେଳ ମନ୍ତ୍ରଣାଳୟକୁ ଏହା ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତୀୟ ରେଳବାଇ ୬୦ ବର୍ଷରୁ ଅଧିକ ବୟସର ପୁରୁଷ ଯାତ୍ରୀଙ୍କୁ ୪୦ ପ୍ରତିଶତ ଓ ୫୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା। ଏହି ରିହାତି , ମେଲ୍ / ଏକ୍ସପ୍ରେସ / ରାଜଧାନୀ / ଶତାବ୍ଦୀ / ଦୂରନ୍ତୋ ଟ୍ରେନର ସମସ୍ତ ଶ୍ରେଣୀରେ ଦିଆଯାଉଥିଲା ।
Comments are closed.