କେନ୍ଦୁଝର: ଡବଲ ଇଂଜିନ ସରକାରରେ ଓଡିଶାର ଆଦିବାସୀ ଅସୁରକ୍ଷିତ ଅବହେଳିତ । ଏପରି ଅଭିଯୋଗ କରି ଆଜି କେନ୍ଦୁଝରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସୀ କଲ୍ୟାଣ ମଂଚ । ଯେଉଁ ସ୍ୱରରେ ସ୍ୱର ମିଳାଇଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀଙ୍କ ଧାର୍ମିକ ପୂଜାସ୍ଥଳୀରେ ଆଦିବାସୀଙ୍କୁ ଆକ୍ରମଣକୁ ବିରୋଧ କରି ବିରାଟ ଆନ୍ଦୋଳନ ହୋଇଛି । ବିଜେପି ସରକାର ଆଦିବାସୀଙ୍କୁ ଆକ୍ରମଣ କରି ଆଦିବାସୀଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ବିକ୍ଷୋଭ ସମାବେଶରେ ମତ ପ୍ରକାଶ ପାଇଛି । ଜିଲ୍ଲାର ବସନ୍ତପୁର ଗାଁରେ ଗତ ୨୩ ଅକ୍ଟୋବରରେ ସାନ୍ତାଳ ସମ୍ପ୍ରଦାୟର ପ୍ରସିଦ୍ଧ ପୂଜାସ୍ଥଳୀ ଜାହେରା ଠାରେ ଆଦିବାସୀମାନେ ପୂଜା କରୁଥିବା ବେଳେ ବଜରଙ୍ଗ ଦଳର କିଛି ସଦସ୍ୟ ପୂଜାସ୍ଥଳୀରେ ପଶି ଭଙ୍ଗାରୁଜା କରିଥିଲେ । ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ବୃଦ୍ଧବୃଦ୍ଧା ଓ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ପରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ଏବେବି ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବା ଅଭିଯୋଗ ହୋଇଛି ।
କେନ୍ଦୁଝର ପରେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆଦିବାସୀ ଯୁବକଙ୍କୁ ବଜରଙ୍ଗ ଦଳର କର୍ମୀ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇନି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଆଦିବାସୀ ସଂମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଆୟୋଜିତ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଲୋକ ଡିଡି ମହାବିଦ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ ଅଫିସ ଯାଏ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଲିରେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ ସଭାପତି ସୁଦାମ ମାରାଣ୍ଡି, ଆଦିବାସୀ ସେଲ୍ ଉପସଭାପତି ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ନିରଂଜନ ବିଶି, ବାସନ୍ତି ହେମ୍ବ୍ରମ, ଜଗନ୍ନାଥ ନାୟକ, ପ୍ରମୁଖ ସାମିଲ ହୋଇଥିଲେ ।
