Latest Odisha News

BREAKING NEWS

ଗୁମ୍ଫାରେ ଫଶିଥିଲେ ୪ ଶିଶୁ; ଉଦ୍ଧାରକାରୀ ଦଳଙ୍କୁ ସବୁଠି ପ୍ରଶଂସା, ଜାଣନ୍ତୁ କିଭଳି ଥିଲା ରେସ୍କ୍ୟୁ… 

ୱାୟନାଡ: କେରଳର ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି।

ମାଟି ତଳେ ଅନେକ ଜୀବନ ଫଶି ରହିଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ରାଡାର୍ ଡ୍ରୋନର ସହାୟତା ନେଉଛନ୍ତି ଉଦ୍ଧାରକାରୀ ଦଳ। ଏହି ସମୟରେ ଆଦିବାସୀ ସମ୍ପ୍ରଦାୟର ଗୋଟିଏ ପରିବାରକୁ ପାହାଡର ଗୁମ୍ଫାରୁ ଉଦ୍ଧାର କରାଯାଇଛି।

ପ୍ରବଳ ବର୍ଷା ସତ୍ତ୍ବେ ଚିକ୍କଣ ପଥରରେ ଚଢି କଲପେଟା ରେଞ୍ଜ ଜଙ୍ଗଲରୁ ଏକ ଆଦିବାସୀ ପରିବାରକୁ ଉଦ୍ଧାର କରିଛି ବନ ବିଭାଗ। ୪ ଶିଶୁଙ୍କ ବୟସ ଏକ ବର୍ଷରୁ ୪ ବର୍ଷ ମଧ୍ୟରେ ହେବ।

ସୂଚନା ଅନୁଯାୟୀ, କେରଳର ୱାୟାନାଡରେ ଭୂସ୍ଖଳନ ଘଟିବା ପରେ ସଶସ୍ତ୍ର ବାହିନୀ, ଏନଡିଆରଏଫ, ଯନ୍ତ୍ରପାତି ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାଜ୍ୟ ବନ ବିଭାଗ ଆଟମଲା ଜଙ୍ଗଲରୁ ଆଦିବାସୀ ସମ୍ପ୍ରଦାୟର ୪ ଜଣ ଶିଶୁଙ୍କ ସମେତ ୬ ଜଣକୁ ଉଦ୍ଧାର କରାଯାଇଛି। କଲପେଟା ରେଞ୍ଜ ବନ ଅଧିକାରୀ କେ ହସିସଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ଗୁରୁବାର ଦିନ ସେମାନଙ୍କୁ ଉଦ୍ଧାର କରିଥିଲେ।

ସେମାନେ ୱାୟାନାଡର ପାନିଆ ସମ୍ପ୍ରଦାୟର ଜଣେ ଆଦିବାସୀ ମହିଳାଙ୍କୁ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ପାଇଥିଲେ।ତାଙ୍କୁ ବୁଝାସୁଝା ପରେ ୱାୟନାଡର ପନିଆ ସମ୍ପ୍ରଦାୟର ଏକ ପରିବାର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫଶି ରହିଥିଲେ ବୋଲି ଜଣାପଡିଥିଲା। ପାହାଡ ଉପରେ ଥିବା ଗୁମ୍ଫାରେ କିଛି ଶିଶୁଙ୍କ ସହ ତାଙ୍କ ବାପା ମଧ୍ଯ ଫଶିରହିଥିଲେ।ହେଲେ ସଠାରେ ପହଞ୍ଚିବାକୁ ବନ ବିଭାଗର ଟିମକୁ ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ପରେ ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା।

ତେବେ ଏହି ସମ୍ପ୍ରଦାୟ ମୁଖ୍ୟତଃ ବନଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି। ସେସବୁକୁ ପାଖ ବଜାରରେ ବିକ୍ରି କରି ଅନ୍ୟାନ୍ୟ ସାମଗ୍ରୀ କିଣିଥାନ୍ତି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ସେମାନେ ଖାଦ୍ୟ ସଂଗ୍ରହ ନ କରି ପାରି ଭୋକ ଉପାସରେ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।

ଏହାକୁ ନେଇ ସୋସିଆଲ୍ ମିଡିଆରେ ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି କାର୍ଯ୍ୟକୁ କେରଳ ମୁଖ୍ୟମନ୍ତ୍ରୀ ପନିରାଇ ବିଜୟନ୍ ମଧ୍ଯ ପ୍ରଶଂସା କରିଛନ୍ତି।

Comments are closed.