Latest Odisha News

BREAKING NEWS

‘ଦେଶର ସମ୍ବିଧାନ ଲେଖା ହୋଇଛି ଲୁଟିବା ପାଇଁ’, ବିବାଦ ବଢ଼ିବା ଦେଖି ଇସ୍ତଫା ଦେଲେ ମନ୍ତ୍ରୀ

ଥିରୁଅନନ୍ତପୁରମ: ଦେଶର ଯାହା ହୁଏ ତାହା ସମ୍ବିଧାନର ଲକ୍ଷ୍ଣଣ ରେଖା ଭିତରେ ହୁଏ। ଏହାର ଅର୍ଥ ରାଜ୍ୟ ସରକାର, କେନ୍ଦ୍ର ସରକାର ହୁଉନ୍ତୁ ଅବା କେନ୍ଦ୍ର ଶାସିତ ଅଞ୍ଚଳରେ ଯାହା ହୁଏ ତାହା ସମ୍ବିଧାନର ନିୟମ ଅନୁସାରେ ହୁଏ । ଆଉ ଗଣତାନ୍ତ୍ରିକ ଦେଶରେ ସମ୍ବିଧାନ ସର୍ବୋଚ୍ଚରେ ଥାଏ। ଏପରି ସ୍ଥିତିରେ କେରଳର ଜଣେ ମନ୍ତ୍ରୀ କହିଥିଲେ, ଦେଶର ସମ୍ବିଧାନ ଲେଖା ହୋଇଛୁ ଲୁଟିବା ପାଇଁ। ଯାହାକୁ ନେଇ ବିବାଦ ବଢ଼ିବା ପରେ ସେ ଇସ୍ତଫା ଦେଇଛନ୍ତି।

କେରଳ ସରକାରଙ୍କ ସିପିଆଇ (ଏମ୍) ନେତା ତଥା ମନ୍ତ୍ରୀ ସାଜି ଚେରିୟାନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବିଧାନ ସଂପର୍କରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଇସ୍ତଫା ଦାବି ହୋଇଥିଲା। ସାଜି ଚେରିୟାନ୍ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସରକାରରେ ସଂସ୍କୃତି ବ୍ୟାପାର ଏବଂ ମତ୍ସ୍ୟ ମନ୍ତ୍ରୀ ଥିଲେ। ସିପିଆଇ (ଏମ୍) କେନ୍ଦ୍ରୀୟ ନେତୃତ୍ୱର ହସ୍ତକ୍ଷେପ ପରେ ଚେରିୟାନ୍ ତାଙ୍କ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

କେରଳର ପଠାନମିତ୍ର ଜିଲ୍ଲା ଅନ୍ତର୍ଗତ ମଲାପ୍ପାଲିରେ ସାଜି ଚେରିୟାନ୍ ଭାରତର ସମ୍ବିଧାନକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ଦଳୀୟ କାର୍ଯ୍ୟକ୍ରମରେ ସେ ମାଲାୟାଲମ ଭାଷାରେ ଏପରି ବିବାଦୀୟ ବୟାନ ଦେଇଥିଲେ।

ସେ କହିଥିଲେ, ଦେଶରେ ଏକ ସୁନ୍ଦର ଲେଖା ସମ୍ବିଧାନ ଅଛି ବୋଲି ଆମେ ବିଶ୍ୱାସ କରୁଛୁ। କିନ୍ତୁ ସମ୍ବିଧାନ ଏପରି ଶୈଳୀରେ ଲେଖାଯାଇଛି ଯେ ଏହା ଦେଶ ଲୁଟ କରିବାରେ ବ୍ୟବହୃତ ହେଉଛି। ଶ୍ରମିକ ଶ୍ରେଣୀ ପାଇଁ ଏହା ଆଦୌ ଅନୁକୂଳ ନୁହେଁ। ଏହି ସମ୍ବିଧାନରେ ସେମାନଙ୍କ ପାଇଁ କୌଣସି ସୁରକ୍ଷା ନାହିଁ। ସାଜି ଏହା ମଧ୍ୟ କହିଛନ୍ତି ଯେ ଦେଶର ସମ୍ବିଧାନ କେବଳ ଆଦାନୀ-ଅମ୍ବାନୀ ପରି ଶିଳ୍ପପତିଙ୍କୁ ସମର୍ଥନ କରେ।

ସାଜି ଚେରିୟାନଙ୍କ ଏହି ବିବୃତ୍ତି କେରଳ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସିଜି ପିନାରାଇ ବିଜୟଙ୍କ ଠାରୁ ସାଜି ଚେରିୟାନଙ୍କ ଇସ୍ତଫା ଦାବି କରିଛି।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି, ସାଜି ଚେରିୟାନ୍ କେବଳ ଶପଥ ନେଇଥିବା ସମ୍ବିଧାନକୁ ଅପମାନିତ କରିନାହାନ୍ତି, ବରଂ ସେ ବାବାସାହେବ ଆମ୍ବେଦକର ଏବଂ ଭାରତର ଆଦର୍ଶକୁ ମଧ୍ୟ ଅପମାନିତ କରିଛନ୍ତି। ତାଙ୍କୁ ତୁରନ୍ତ ପଦରୁ ହଟାଇବା ଉଚିତ୍।

ଅନ୍ୟପକ୍ଷରେ ବିଜେପି ମଧ୍ୟ ତୁରନ୍ତ ଇସ୍ତଫା ଦାବି କରିଥିଲା। ସେହିପରି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଭି ମୁରଲୀଧରନ୍ କହିଛନ୍ତି, ମୁଁ ଏହି ବିବୃତ୍ତିକୁ ନିନ୍ଦା କରୁଛି। ଏଭଳି ଲୋକମାନେ ମନ୍ତ୍ରୀ ପଦରେ ରହିପାରିବେ ନାହିଁ । କାରଣ ସମ୍ବିଧାନ ଯୋଗୁଁ ସେମାନେ ଏହି ଦାୟିତ୍ୱ ପାଇଛନ୍ତି। ତାଙ୍କୁ ତୁରନ୍ତ ବରଖାସ୍ତ କରାଯାଉ।

ଏହାପରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ନିଜେ ଏହି ବିଷୟରେ ପଚାରି ବୁଝିଥିଲେ। ସେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ମନ୍ତ୍ରୀ ଇସ୍ତଫା ଦେବା ପୂର୍ବରୁ ସିପିଆଇ (ଏମ୍) ତାଙ୍କ ସମର୍ଥନରେ ଆସି କହିଥିଲେ। ଚେରିୟାନଙ୍କ ଜିଭ ଖସି ଯାଇଛି, ସେ ଆଉ କିଛି କହିବାକୁ ଚେଷ୍ଟା କରୁଥିଲେ।

Comments are closed.