Latest Odisha News

BREAKING NEWS

ଦିନେ ବିଡି ତିଆରି କରି ପେଟ ପୋଷୁଥିଲେ, ଆଜି ଆମେରିକାରେ ଜଜ୍‌

ଟେକ୍ସାସ୍: ପରିସ୍ଥିତିକୁ ଦୋଷ ଦେଇ ଉଦ୍ୟମ ନ କରିବା, ଆଉ ଶେଷରେ ବିଫଳ ହେଲେ ଭାଗ୍ୟକୁ ନିନ୍ଦିବା, ଇଏ ଆଜିକାଲିର ବିଫଳ ମଣିଷର ନେପଥ୍ୟ କାହାଣୀ। କିନ୍ତୁ ସଫଳ ମଣିଷ ତାହା କରେନି। ଜୀବନ ଯନ୍ତ୍ରଣାକୁ ସହି ପରିସ୍ଥିତିକୁ ପାହାଚ ବନାଇ ସିଏ ଉପରକୁ ଉଠି ଚାଲେ। ଆଉ ସଫଳ ହେଲେ  ସେ ହିଁ ଲୋକଙ୍କ ପାଇଁ ଉଦାହରଣ ପାଲଟି ଯାଏ। ଏଇ ଯେମିତି କେରଳର କସରଗୁଡ଼ାର ସୁରେନ୍ଦ୍ର କେ ପଟେଲ। ଦିନେ ସେ ବିଡି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଆଜି ସେ ଆମେରିକା ଟେକ୍ସାସର  ଡିଷ୍ଟ୍ରିକ୍ଟ ଜଜ୍।

୫୧ ବର୍ଷୀୟ ସୁରେନ୍ଦ୍ର ଆଜି ସଫଳତା ପାଇବା ପରେ ତାଙ୍କ ଅତୀତକୁ ମନେ ପକାଇଛନ୍ତି। କେମିତି ସ୍କୁଲ୍‌ରୁ ପାଠପଢା ଛାଡ଼ି ଦିନ ମଜୁରିଆ ଭାବେ ବିଡ଼ି ତିଆରି କରୁଥିଲେ। ହାଉଶ୍ କିପିଂ କରି ପେଟ ପୋଷୁଥିଲେ। ସେ ସବୁ ଆଜି ତାଙ୍କର ଜଳ ଜଳ କରି ମନେ ପଡ଼ିଯାଇଛି।

କେରଳର କସରଗୁଡର ଜନ୍ମ ହୋଇଥିବା ସୁରେନ୍ଦ୍ର ସ୍କୁଲ୍‌ରୁ ପାଠା ଛାଡ଼ି ଦିନ ମଜୁରିଆ କରି ପେଟ ପୋଷୁଥିଲେ। ଏନେଇ ସେ ଏନ୍‌ଡିଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ମୋ ପାରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ମୁଁ ଦଶମ ଶ୍ରେଣୀରୁ ପାଠ ଛାଡ଼ିଲି। ତେଣୁ ଦିନ ମଜୁରିଆ ଭାବେ ମୁଁ ବିଡ଼ି ତିଆରି କରି ପେଟ ପୋଷୁଥିଲି। ହେଲେ ଜୀବନର ସଫଳ ହେବାକୁ ମୁଁ ସ୍ୱପ୍ନ ନିଶ୍ଚିୟ ଦେଖିଥିଲି।”

ଆଉ ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ। ସୁରେନ୍ଦ୍ରଙ୍କ ଇଚ୍ଛା ଆଉ ଉଦ୍ୟମ ଯୋଗୁ ତାଙ୍କ ବନ୍ଧୁ ତାଙ୍କୁ ଶିକ୍ଷା ପୂରା କରିବାକୁ ଆର୍ଥିକ ସହଯୋଗ କରିଥିଲେ। ତା ସହିତ ଆଇନ ବିଭାଗରେ ଅଧ୍ୟୟନ କରିବା ସମୟରେ ଖର୍ଚ୍ଚ ଉଠାଇବାକୁ ସେ ହାଉସ କିପିଂ ମଧ୍ୟ କରିଛନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି।

ତାଙ୍କ ସଫଳତାକୁ ନେଇ ସେ କହିଛନ୍ତି “ ମୁଁ ଏଲ୍‌ଏଲ୍‌ ବି ପାଠପଢ଼ା ଶେଷ କରିବା ପରେ ଭାରତରେ ପ୍ରାକ୍ଟିସ୍ କରିଥିଲି। ଆଉ ଏହି ଅଭ୍ୟାସ ହିଁ ମୋତେ ଆମେରିକାର ବିଚାରପତି ବନାଇବାରେ ସହଯୋଗ କରିଛି।” ତେବେ ଆମେରିକାରେ ମୋ ଯାତ୍ରା ଏତେ ସହଜ ହୋଇ ନାହିଁ। ସେ କହିଛନ୍ତି “ ମୁଁ ଯେତେବେଳେ ଟେକ୍ସାସ୍‌ରେ ଏହି ପଦବୀ ଦୌଡ଼ରେ ଥିଲି ସେତେବେଳେ ମୋର କଥା କହିବାର ଶୈଳୀ ଓ ହରଣୀ ସହଣୀକୁ ନେଇ ଅନେକ କମେଣ୍ଟ କରାଯାଇଥିଲା। ମୋ ନିଜ ଦଳ ଡେମୋକ୍ରାଟିକ୍ ପ୍ରାଇମେରି ବି ଭାବୁନଥିଲା ଯେ ମୁଁ ଜିତିବି ବୋଲି।”

କେହି ଭାବୁନଥିଲେ ଯେ ମୁଁ ଏହି ସଫଳତା ହାସଲ କରିପାରିବି। କିନ୍ତୁ ମୁଁ ଆଜି ଏଠି ଆପଣଙ୍କ ସାମ୍ନାରେ। ତେବେ ସମସ୍ତଙ୍କ ପାଇଁ ମୋର ଗୋଟିଏ ମେସେଜ୍ ରହିବ। କାହାକୁ ନିଜ ଭବିଷ୍ୟତର ନିଷ୍ପତ୍ତି ନେବାକୁ ଦିଅନି। ନିଜେ ହିଁ ନିଜର ଭବିଷ୍ୟତ ଗଢ଼ନ୍ତୁ ବୋଲି ସୁରେନ୍ଦ୍ର କହିଛନ୍ତି।

Comments are closed.