Latest Odisha News

BREAKING NEWS

ସ୍କୁଲରେ ଜୁମ୍ବା ଫିଟନେସ୍ କାର୍ଯ୍ୟକ୍ରମକୁ ନେଇ ମୁସଲିମ ସଂଗଠନର ପ୍ରତିବାଦ

କେରଳ: ମୁସଲିମ ସଂଗଠନଗୁଡ଼ିକ ସ୍କୁଲମାନଙ୍କରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନକୁ ବିରୋଧ କରୁଛନ୍ତି। କେରଳ ଶିକ୍ଷା ବିଭାଗ ଦ୍ୱାରା ନିଶା ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାର ନିଷ୍ପତ୍ତି ମୁସଲିମ ସଂଗଠନଗୁଡ଼ିକ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇଛି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପୁଅ ଏବଂ ଝିଅମାନେ ଏକାଠି ନାଚିବା ଏବଂ ଛୋଟ ପୋଷାକ ପିନ୍ଧି ପ୍ରଦର୍ଶନ କରିବା ଇସଲାମିକ ନୈତିକତା ଏବଂ ସାମାଜିକ ମୂଲ୍ୟବୋଧ ବିରୁଦ୍ଧରେ।

ମୁସଲିମ ସଂଗଠନଗୁଡ଼ିକ କହିଛନ୍ତି ଯେ, ଜୁମ୍ବା ନୈତିକତାକୁ ହ୍ରାସ କରେ। ସେମାନଙ୍କ ଅନୁସାରେ ପୁଅ ଏବଂ ଝିଅମାନେ ଏକାଠି ନାଚିବା ଭୁଲ।

ସୂଚନାଥାଉକି,କେରଳର କାସରଗୋଡ ଜିଲ୍ଲାର ଥନବିହୁଲ ଇସଲାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (Thanbeehul Islam HSS)ରେ କିଛି ମୁସଲମାନ ଛାତ୍ର ଜୁମ୍ବା ସେସନରେ ଅଂଶଗ୍ରହଣ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଶିକ୍ଷା ମନ୍ତ୍ରୀ ନିଜେ ତାଙ୍କ ଫେସବୁକରେ ସେୟାର କରିଥିଲେ। ଭିଡିଓରେ, ଛାତ୍ରମାନେ ସ୍କୁଲ ୟୁନିଫର୍ମରେ ଜୁମ୍ବା କରୁଥିବାର ଦେଖାଯାଉଛି।

ରାଜ୍ୟ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି କହିଥିଲେ, “ପିଲାମାନଙ୍କୁ ଖେଳିବାକୁ ଦିଅ, ହସ ଖୁସି ହେବାକୁ ଦିଅ ଏବଂ ସ୍ବାସ୍ଥ୍ୟ ବଢ଼ିବାକୁ ଦିଅ। ଏପରି ଆପତ୍ତି ସମାଜରେ ନିଶା ଅପେକ୍ଷା ଅଧିକ ବିଷାକ୍ତ ବିଷ ବିସ୍ତାର କରିପାରେ। କାହାକୁ ଛୋଟ ପୋଷାକ ପିନ୍ଧିବାକୁ କୁହାଯାଇନାହିଁ। ପିଲାମାନେ ୟୁନିଫର୍ମ ପିନ୍ଧି ପ୍ରଦର୍ଶନ କରୁଛନ୍ତି।”

ଜୁମ୍ବା ହେଉଛି ଏକ ପ୍ରକାରର ଏରୋବିକ୍ ଫିଟନେସ୍ କାର୍ଯ୍ୟକ୍ରମ। ଏହା ଲାଟିନ୍ ଆମେରିକୀୟ ନୃତ୍ୟ ଏବଂ ସଙ୍ଗୀତ ଶୈଳୀକୁ ମିଶ୍ରଣ କରାଯାଇଥାଏ । ପିଲାମାନଙ୍କର ମାନସିକ ଚାପ କମାଇବା ପାଇଁ ଏହାକୁ ସ୍କୁଲଗୁଡ଼ିକରେ ପ୍ରଚଳନ କରାଯାଇଥିଲା।

ଏହି ପ୍ରସ୍ତାବ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଇଥିଲେ। ଜୁନ୍ ୨୦ତାରିଖରେ, ସାଧାରଣ ଶିକ୍ଷା ନିର୍ଦ୍ଦେଶକ ଏକ ସର୍କୁଲାର ଜାରି କରିଥିଲେ। ଏଥିରେ ସ୍କୁଲଗୁଡ଼ିକୁ ଶାରୀରିକ କାର୍ଯ୍ୟକଳାପ କରିବାକୁ କୁହାଯାଇଥିଲା। ଏହି କାର୍ଯ୍ୟକଳାପଗୁଡ଼ିକରେ ଜୁମ୍ବା ଏବଂ ଅନ୍ୟାନ୍ୟ ହାଲୁକା ବ୍ୟାୟାମ ଅନ୍ତର୍ଭୁକ୍ତ ଥିଲା। ଏସବୁ ଆନ୍ତର୍ଜାତୀୟ ନିଶା ନିବାରଣ ବିରୋଧୀ ଦିବସ ଅବସରରେ କରାଯିବାର ଥିଲା।

ଉଚ୍ଚଶିକ୍ଷା ମନ୍ତ୍ରୀ ଆର. ବିନ୍ଦୁ ଏହି ପ୍ରତିବାଦର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଜୁମ୍ବାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା। ସେ କହିଛନ୍ତି ଯେ ସ୍କୁଲମାନଙ୍କରେ ଏହାକୁ ଖୁସିର ସହିତ ଗ୍ରହଣ କରାଯାଇଛି । ସେ ପ୍ରଶ୍ନ କରିଥିଲେ ଯେ ଏଥିରେ କ’ଣ ଭୁଲ ଅଛି? ଆମେ ୨୦୨୫ ମସିହାରେ ବଞ୍ଚୁଛୁ ଏବଂ ୨୧ଶତାବ୍ଦୀର ପ୍ରଥମ ଚତୁର୍ଥାଂଶ ଶେଷ ହୋଇଗଲାଣି। ଆମେ ୧୯ଶତାବ୍ଦୀ କିମ୍ବା ଆଦିମ ମଧ୍ୟଯୁଗରେ ନାହୁଁ। ଲୋକଙ୍କୁ ପରିବର୍ତ୍ତନଶୀଳ ସମୟ ସହିତ ଚିନ୍ତା କରିବା ଉଚିତ।

 

Comments are closed.