ଭୁବନେଶ୍ୱର: ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା। ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ହାପି। ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍। ତା’ର ଅନ୍ୟ ୨ ସହଯୋଗୀ ଏବେବି ଫେରାର୍ ଅଛନ୍ତି। ଖୁବଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଦୁଷ୍କର୍ମ ଘଟଣା ପରେ ହାପି ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା। ପରେ ଗଞ୍ଜାମ ଚାଲିଯାଇଥିଲା। ହାପିକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୋଲିସ। ଶେଷରେ ଗଞ୍ଜାମରେ ଲୁଚିଥିବା ବେଳେ ତାକୁ କାବୁ କରିଛି। ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଛି। ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି। ମାମଲା ରେଡ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି। ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ।
ସୂଚନା ଥାଉକି, ଗଣଦୁଷ୍କର୍ମ ଘଟଣା ପରେ ହାପି କେଉଁଆଡ଼େ ଫେରାର୍ ହୋଇନଥିଲା। ପୋଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣି ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା। ଘଟଣା ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା। ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍ପିଟ୍ କରିଥିଲା। ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା। ୧୨ ତାରିଖ ରାତିରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ପରଦିନ ସକାଳେ ପୀଡି଼ତାର ମା’ ଥାନାକୁ ଆସି ଆଉ ଥରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ। ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୋଲିସ ହାପିର ୨ଜଣ ସହଯୋଗୀ (ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ କାବୁ କରିଥିଲା। ଏହି ଖବର ଶୁଣିବା ପରେ ହାପି ରାତାରାତି କୁଆଡ଼େ ଅର୍ନ୍ତଧ୍ୟାନ ହୋଇଯାଇଥିଲା।
ତେବେ ହାପି ଜଣେ ପେଶାଦାର ଅପରାଧୀ। ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି। ପୂର୍ବରୁ ପୋଲିସକୁ ହାଣି ଜେଲ ଯାଇ ଫେରିଥିଲା। ଆଉ ଏହି ଜେଲ୍ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ। ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ରାଜ୍ୟ ସରକାର ଏହି ମାମଲାରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ଏନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନର ଆଦେଶିତ ହୋଇଛନ୍ତି। ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି।
Comments are closed.