Latest Odisha News

BREAKING NEWS

କିଏ ସେ ଖାଲିଦ ଜମିଲ..୧୩ ବର୍ଷ ପରେ ଭାରତୀୟ ଫୁଟବଲ୍ ଦଳର ଦେଶୀ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ନୂତନ ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯାଇଛି। ଖାଲିଦ ଜମିଲ ବରିଷ୍ଠ ଭାରତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ୨୦୧୭ରେ ଆଇଜଲ ଫୁଟବଲ୍ କ୍ଲବକୁ ଆଇ-ଲିଗ୍ ଟାଇଟଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖାଲିଦ ଜମିଲଙ୍କୁ ଶୁକ୍ରବାର ଭାରତୀୟ ଜାତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ୧୩ ବର୍ଷ ପରେ ଭାରତୀୟ ଦଳକୁ ଜଣେ ଭାରତୀୟ କୋଚ୍ ମିଳିଛି। ପୂର୍ବରୁ ୨୦୧୧-୧୨ରେ ସାଭିଓ ମେଡେରା ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ।

୪୮ ବର୍ଷୀୟ ଖାଲିଦ ଜମିଲ ଜଣେ ପୂର୍ବତନ ଭାରତୀୟ ଆନ୍ତର୍ଜାତୀୟ ଖେଳାଳି। ସେ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍ (ISL) ଦଳ ଜାମସେଦପୁର FC ର ପ୍ରଶିକ୍ଷକ। ତାଙ୍କୁ ଅଖିଳ ଭାରତୀୟ ଫୁଟବଲ୍ ଫେଡେରେସନ୍ (AIFF-All India Football Federation) କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ତିନି ଜଣଙ୍କ ନାମର ଚୂଡ଼ାନ୍ତ ତାଲିକାରୁ ମନୋନୀତ କରାଯାଇଛି।

ଏବେ ଜମିଲ ସ୍ପାନିସ୍ ପ୍ରଶିକ୍ଷକ ମନୋଲୋ ମାର୍କେଜ୍‌ଙ୍କ ସ୍ଥାନ ନେବେ । ମନୋଲୋ ଗତ ମାସରେ ଭାରତର ସାମ୍ପ୍ରତିକ ନିରାଶାଜନକ ପ୍ରଦର୍ଶନ ପରେ AIFF ରୁ ଅଲଗା ହୋଇଥିଲେ।

ଜମିଲଙ୍କ ନୂତନ ଭୂମିକାରେ ପ୍ରଥମ ଚ୍ୟାଲେଞ୍ଜ ହେବ କେନ୍ଦ୍ରୀୟ ଏସୀୟ ଫୁଟବଲ୍ ସଂଘ (CAFA) ନେସନ୍ସ କପ୍, ଯାହା ଅଗଷ୍ଟ ୨୯ ରୁ ତାଜିକିସ୍ତାନ ଏବଂ ଉଜବେକିସ୍ତାନରେ ଖେଳାଯିବ।

କୁୱେତରେ ଜନ୍ମିତ, ଜମିଲଙ୍କ ପରିବାର ଉପସାଗରୀୟ ଯୁଦ୍ଧ (୧୯୯୦-୯୧) ପରେ ମୁମ୍ବାଇ ଚାଲିଆସିଥିଲେ। ସେ ମୁମ୍ବାଇର ରିଜଭି କଲେଜରେ ପାଠପଢ଼ା ସମୟରେ ବିଶ୍ୱବିଦ୍ୟାଳୟ ଦଳର ଏକ ଅଂଶ ଥିଲେ। ପରେ ସେ ମହିନ୍ଦ୍ରା ୟୁନାଇଟେଡ୍, ଏୟାର ଇଣ୍ଡିଆ ଏବଂ ମୁମ୍ବାଇ ଏଫସି ପାଇଁ ଖେଳିଥିଲେ। ସେ କହିଥିଲେ, ‘ମୁଁ ପିଲାଦିନୁ ଫୁଟବଲ୍ ଭଲ ପାଉଛି। ଯେତେବେଳେ ମୁଁ ଆରମ୍ଭ କରିଥିଲି, ମୁଁ କେବେ ଭାବି ନଥିଲି ଯେ ମୁଁ ଜଣେ ବୃତ୍ତିଗତ ଫୁଟବଲ୍ ଖେଳାଳି ହେବି। ମୁଁ କେବଳ ଖେଳୁଥିଲି।’

ସେ ୧୯୯୭ ମସିହାରେ କାଠମାଣ୍ଡୁରେ ବାଂଲାଦେଶ ବିପକ୍ଷରେ SAFF କପ୍ ମ୍ୟାଚ୍ ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ବାଇଚୁଙ୍ଗ ଭୁଟିଆଙ୍କ ସହ ଖେଳିଥିବା ଜମିଲ ଭାରତ ପାଇଁ ୧୫ଟି ମ୍ୟାଚ୍ ଖେଳିଥିଲେ କିନ୍ତୁ ୨୦୦୬ ମସିହାରେ ଆଘାତ ଯୋଗୁଁ ଖେଳରୁ ଅବସର ନେଇଥିଲେ।

ଜମିଲ ଦୀର୍ଘ ସମୟ ଧରି ଭାରତୀୟ ଫୁଟବଲ୍ ସହିତ ଜଡିତ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଶିକ୍ଷକ ଭାବରେ ତାଙ୍କର କ୍ୟାରିୟରରେ ସବୁଠାରୁ ବଡ଼ ସଫଳତା ଥିଲା ଆଇଜଲ୍ ଏଫସି ସହିତ ୨୦୧୬-୧୭ ଆଇ-ଲିଗ୍ ଟାଇଟଲ ଜିତିବା। ଏହା ପରେ କ୍ଲବ୍ ମୋହନ ବାଗାନ, ଇଷ୍ଟ ବେଙ୍ଗଲ ଏବଂ ବେଙ୍ଗାଲୁରୁ ଏଫସି ଭଳି ବଡ଼ ଦଳକୁ ପରାସ୍ତ କରିଥିଲା।

ମୁମ୍ବାଇର ଜମିଲଙ୍କ ଇଣ୍ଡିଆନ୍ ସୁପର ଲିଗ୍ (ISL)ରେ ପ୍ରଶିକ୍ଷଣ ଦେବାର ବହୁତ ଅଭିଜ୍ଞତା ଅଛି। ତାଙ୍କ ପ୍ରଶିକ୍ଷଣରେ, ୨୦୨୦-୨୧ରେ ନର୍ଥଇଷ୍ଟ ୟୁନାଇଟେଡ୍ ଏବଂ ୨୦୨୪-୨୫ରେ ଜାମସେଦପୁର ଏଫସି ISL ପ୍ଲେଅଫରେ ପ୍ରବେଶ କରିଥିଲା।

ଏବେ ତାଙ୍କ ଆଗରେ ଭାରତୀୟ ଦଳର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଏକ କଠିନ ଚ୍ୟାଲେଞ୍ଜ ରହିବ। ଗତ କିଛି ମାସ ମଧ୍ୟରେ ଭାରତର ପ୍ରଦର୍ଶନ ଭଲ ରହିନାହିଁ।

ଏବେ ତାଙ୍କ ଆଗରେ ଭାରତୀୟ ଦଳର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଏକ କଠିନ ଚ୍ୟାଲେଞ୍ଜ ରହିବ। ଗତ କିଛି ମାସ ମଧ୍ୟରେ ଭାରତର ପ୍ରଦର୍ଶନ ଭଲ ରହିନାହିଁ। ଜୁନ୍ ୧୦ ତାରିଖରେ AFC ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚରେ ଭାରତୀୟ ଦଳ କମ୍ ର୍ୟାଙ୍କିଙ୍ଗ ରେ ଥିବା ହଂକଂଠାରୁ ୦-୧ ଗୋଲରେ ପରାସ୍ତ ହୋଇଥିଲା ଏବଂ ଏବେ ୨୦୨୭ ମସିହାରେ ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। CAFA ନେସନ୍ସ କପ୍ ପରେ, ଭାରତ ଅକ୍ଟୋବର ୯ ଏବଂ ୧୪ ତାରିଖରେ ସିଙ୍ଗାପୁର ବିପକ୍ଷରେ AFC ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବ।

 

Comments are closed.