Latest Odisha News

BREAKING NEWS

Khamenei breaks 37-year rule: ଇରାନକୁ ଟ୍ରମ୍ପ ଭୟ ? ୩୭ ବର୍ଷର ପରମ୍ପରା ଭାଙ୍ଗିଲେ ଖାମେନେଇ !

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ(Ayatollah Ali Khamenei) ନିଜର ୩୭ ବର୍ଷର ପୁରୁଣା ପରମ୍ପରାକୁ ଭାଙ୍ଗିଛନ୍ତି। ୧୯୮୯ରେ ଶାସନ ଗାଦି ସମ୍ଭାଳିବା ପରଠାରୁ ଯେଉଁ କାମ ସେ କେବେ ବନ୍ଦ କରିନଥିଲେ, ଚଳିତ ବର୍ଷ ସେଥିରୁ ସେ ଦୂରେଇ ରହିଛନ୍ତି। କାହିଁକି ଏଭଳି କଲେ ଖାମେନେଇ ? ଏହା ପଛରେ କ’ଣ ଟ୍ରମ୍ପଙ୍କ ଭୟ ରହିଛି ନା ରହିଛି ଅନ୍ୟ କୌଣସି ବଡ଼ ରହସ୍ୟ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଖାମେନେଇଙ୍କ ଅନୁପସ୍ଥିତି। ପ୍ରତିବର୍ଷ ୮ ଫେବୃଆରୀରେ ହେଉଥିବା ଏୟାରଫୋର୍ସ କମାଣ୍ଡରଙ୍କ ସହ ବାର୍ଷିକ ବୈଠକରେ ଖାମେନେଇ ସାମିଲ ହୋଇଥାନ୍ତି। କୋଭିଡ ମହାମାରୀ ସମୟରେ ମଧ୍ୟ ସେ ଏହି ପରମ୍ପରା ରକ୍ଷା କରିଥିଲେ। କିନ୍ତୁ ଚଳିତ ବର୍ଷ ଖାମେନେଇଙ୍କ ସ୍ଥାନରେ ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ଅବଦୋଲରହିମ ମୌସଭି ଏୟାରଫୋର୍ସ ଅଧିକାରୀଙ୍କୁ ଭେଟିଛନ୍ତି।

କାହିଁକି ଏହି ବୈଠକ ଏତେ ଗୁରୁତ୍ୱପୂର୍ଣ୍ଣ ? ପ୍ରକୃତରେ ୮ ଫେବୃଆରୀ, ୧୯୭୯ରେ ଇରାନର ଏୟାରଫୋର୍ସ ଅଧିକାରୀମାନେ ପହଲବୀ ସାମ୍ରାଜ୍ୟ ବିରୋଧରେ ବିଦ୍ରୋହ କରି ରୁହୋଲ୍ଲା ଖୁମେନେଇଙ୍କ ପ୍ରତି ନିଜର ବିଶ୍ୱସ୍ତତା ପ୍ରକାଶ କରିଥିଲେ । ଏହା ଇରାନର ଇତିହାସରେ ଏକ ବଡ଼ ମୋଡ଼ ଥିଲା। ସେବେଠାରୁ ଏହା ଏକ ପରମ୍ପରା ଭାବେ ପାଳନ କରାଯାଉଥିଲା । କିନ୍ତୁ ଏଥର ଖାମେନେଇଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଟ୍ରମ୍ପ ପ୍ରଶାସନର କଡ଼ା ଆଭିମୁଖ୍ୟ ଏବଂ ଆମେରିକାର ବଢୁଥିବା ସାମରିକ ଶକ୍ତି ଖାମେନେଇଙ୍କୁ ସତର୍କ କରିଦେଇଛି। ସମ୍ଭାବ୍ୟ ଏୟାରଷ୍ଟ୍ରାଇକ୍ କିମ୍ବା ଗୁପ୍ତ ଆକ୍ରମଣରୁ ବଞ୍ଚିବା ପାଇଁ ସେ ନିଜକୁ ସର୍ବସାଧାରଣ ବୈଠକରୁ ଦୂରେଇ ରଖିଥାଇ ପାରନ୍ତି । ଜାତୀୟ ସୁରକ୍ଷା କିମ୍ବା ଆଗାମୀ ଯୁଦ୍ଧ ପାଇଁ କୌଣସି ଗୁପ୍ତ ରଣନୀତିରେ ସେ ବ୍ୟସ୍ତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ ଆମେରିକା ମଧ୍ୟ ମଧ୍ୟ-ପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତି ବଢ଼ାଇବାରେ ଲାଗିଛି। ଏଭଳି ସ୍ଥିତିରେ ଖାମେନେଇଙ୍କ ଏହି ନିଷ୍ପତ୍ତି କେବଳ ଏକ ସଂଯୋଗ ନା ଆଗକୁ କୌଣସି ବଡ଼ ଧରଣର ବିପଦ ଆସୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Comments are closed.